ଭୁବନେଶ୍ବର: ପୁରୀ ଜିଲ୍ଲା କଣାସରେ ହଇଜା ବ୍ଯାପିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ନିଜର ‘ଏକ୍ସ’ ହ୍ଯାଣ୍ଡେଲରେ ହଇଜାରେ ଲୋକଙ୍କ ମୃତ୍ଯୁ ନେଇ ମଧ୍ଯ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ଯ ସରକାର ତୁରନ୍ତ ଏ ଦିଗରେ ଜରୁରୀ ପଦକ୍ଷେପ ନେଇ ଏହାକୁ ଅକ୍ତିଆରକୁ ଆଣିବାକୁ ସେ ଦାବି କରିଛନ୍ତି। ପ୍ରଭାବିତ ଅଞ୍ଚଳକୁ ଏକ ସ୍ବତନ୍ତ୍ର ମେଡିକାଲ ଟିମ ପଠାଇବାକୁ ସେ ଦାବି କରିଛନ୍ତି । ବର୍ଜ୍ଯବସ୍ତୁ ପରିଚାଳନାରେ ଅପାରଗତା ଲାଗି ଗଙ୍ଗୁଆ ନଦୀ ଜଳ ଦୟା ନଦୀ ଦେଇ ଚିଲିକାରେ ମଧ୍ଯ ମିଶୁଥିବାରୁ ବିଜେଡି ସାଂସଦ ଚିନ୍ତା ପ୍ରକଟ କରିଛନ୍ତି । ଯଦ୍ବାରା ରାଜୁଆ, ମକରା, ଲୁଣା, ରତ୍ନଚିରା ଓ ଭାର୍ଗବୀ ଜଳ ମଧ୍ଯ ପ୍ରଦୂଷିତ ହୋଇପଡିଛି । ତେଣୁ ସେ ରାଜ୍ଯ ସରକାର ସମସ୍ଯାରେ ତୁରନ୍ତ ହସ୍ତକ୍ଷେପ କରି ହଇଜା ରୋକିବା ଦିଗରେ କାମ କରିବାକୁ ନିବେଦନ କରିଛନ୍ତି ।
ସେପଟେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଣାସ ଅଞ୍ଚଳରେ ବ୍ୟାପିଥିବା ହଇଜାର କାରଣ ଜାଣିବା ପାଇଁ ବିଜେଡି ଏକ ଟିମ୍ ଗଠନ କରିଛି। ବିଧାୟକ ଅରୁଣ ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ଡକ୍ଟର ସଞ୍ଜୟ ଦାସଙ୍କୁ ନେଇ ଏକ ୩ ଜଣିଆ ଟିମ୍ ଗଠନ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ଗଠନ ହୋଇଛି। ଏହି ଟିମ୍ ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିବେ। ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ଏନେଇ ସୂଚନା ଦେଇଛନ୍ତି।