ମହାକାଳପଡା: ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ଘଟଣାରେ କଙ୍ଗାରୁ କୋର୍ଟ କରାଯିବା ସହ ବାପପୁଅକୁ ମାଡ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଗିରଫ ହୋଇଥିବା ପମ୍ପର କର୍ମଚାରୀ ତଥା ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ସୁଜିତ ବିଶ୍ୱାଳଙ୍କ ଗିରଫଦାରୀ ଖବର ଶୁଣି ତାଙ୍କ ମାଆଙ୍କୁ ହୃଦଘାତ ହୋଇଥିଲା । ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲେ ହେଁ ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁସାରେ, ସୁଜିତ ବିଶ୍ୱାଳ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଥିଲେ । କଙ୍ଗାରୁ କୋର୍ଟରେ ମାଡ ଘଟଣାରେ ପଟ୍ଟାମୁଣ୍ଡାଇ ପୋଲିସ ୬ ଜଣଙ୍କୁ ଗିରଫ କରିଛି, ସେମାନଙ୍କ ମଧ୍ୟରେ ସୁଜିତ ବିଶ୍ୱାଳ ଥିବା ଖବର ଗୁରୁବାର ସକାଳେ ତାଙ୍କ ମାଅ ଅନ୍ନପୂର୍ଣ୍ଣା ବିଶ୍ୱାଳ(୪୬) ଜାଣିବାକୁ ପାଇଥିଲେ । ଖବର ଜାଣିବା ପରେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ କେନ୍ଦ୍ରାପଡା ମେଡିକାଲକୁ ନିଆଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା ।କଟକରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ସୁଜିତ୍ ତାଙ୍କ ପରିବାରରେ ଏକମାତ୍ର ପୁଅ ଅଟେ,ପୁଅକୁ ପୋଲିସ ଉଠାଇ ନେଇ ଗିରଫ କରିବା ଖବର ଶୁଣି ମାଆ ଅନ୍ନପୂର୍ଣ୍ଣା ମ୍ରିୟମାଣ ହୋଇପଡିଥିଲେ । ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ଗ୍ରାମବାସୀ କହିଛନ୍ତି ।