କଳାହାଣ୍ଡି: ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅ ମୃତ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କାର୍ଲାସୋଡା ଗାଁରେ ଘଟିଛି ଏପରି ଅଘଟଣ । ଗାଁର ଲଳିତା ନାଏକ୍ କପଡ଼ା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହି ସମୟରେ ମା'ଙ୍କୁ ବଞ୍ଚାଇବାକୁ ଯାଇ ଝିଅ ଶୀତଳ ନାଏକ୍ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ, ସଙ୍କଟାପନ୍ନ ଅବସ୍ଥାରେ ଥିବା ମା’ଙ୍କର ମଧ୍ୟ ପରେ ମୃତ୍ୟୁ ହୋଇଛି ।
ତେବେ ମେଡିକାଲରେ ଠିକ୍ ଭାବେ ଯାଞ୍ଚ କରାନଯାଇ ମୃତ ଘୋଷଣା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଏନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚିକିତ୍ସାରେ ଅବହେଳା ଅଭିଯୋଗ କରି ପରିବାର ଲୋକ ଓ ଗ୍ରାମବାସୀ ମୃତଦେହକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଖି ଧାରଣାରେ ବସିଛନ୍ତି । ନ୍ୟାୟ ଓ ଘଟଣାର ଉପଯୁକ୍ତ ତଦନ୍ତ ଦାବି କରି ଆନ୍ଦୋଳନ କରୁଛନ୍ତି ଗ୍ରାମବାସୀ । ଅନ୍ୟପଟେ, ଘଟଣାସ୍ଥଳରେ ଚାପା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସଦର ଓ ଟାଉନ୍ ପୁଲିସ ମୁତୟନ କରାଯାଇଛି । ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।