ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମା’ ଶାରଳାଙ୍କ ପୀଠରେ ଲାଗୁ ହୋଇଛି ନୂଆ ନିୟମ । ମନ୍ଦିର ଭିତରକୁ ଆଉ ନେଇପାରିବେନି ମୋବାଇଲ ଓ କ୍ୟାମେରା । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେବା ନିଷେଧ କରାଯାଇଛି । ମା’ ଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ ଯିବା ଉପରେ କଟକଣା ଲଗାଯାଇଛି । ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।
ଏମିତି କି ମନ୍ଦିର ପରିସରରେ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର କୋର କମିଟିର ନିଷ୍ପତ୍ତି ଅନୁସାରେ କଟକଣା ଜାରି କରାଯାଇଛି । ଏନେଇ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ମୋଟ ୧୮ଟି ପ୍ରସ୍ତାବକୁ ସ୍ବୀକୃତି ମିଳିଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।