ଭୁବନେଶ୍ବର : ଗାଁରୁ ସହର ଓ ରାଜଧାନୀକୁ ଗମନାଗମନ ବ୍ୟବସ୍ଥାରେ ଆସିବ ରୂପାନ୍ତରଣ। ଗାଁରେ ପହଞ୍ଚିବ ସରକାରୀ ଗାଡ଼ି। ବଦଳିବ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଚେହେରା। ରାଜଧାନୀ ଭୁବନେଶ୍ବର, କଟକ, ପୁରୀ, ରାଉରକେଲା ଭଳି ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍ ଟଙ୍କା ଦେଇ ମୋ ବସ୍ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଦେଇଛନ୍ତି। ଗ୍ରାମାଞ୍ଚଳରେ ମୋ ବସ୍ ସେବା ନେଇ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି।
ଏଣିକି ଗ୍ରାମାଞ୍ଚଳରେ ମଧ୍ୟ ଚାଲିବ ‘ମୋ ବସ୍’ । ବ୍ଲକରୁ ପ୍ରତି ପଞ୍ଚାୟତକୁ ଚାଲିବ ମୋ ବସ । ଲକ୍ଷ୍ମୀ ସ୍କିମରେ ଗ୍ରାମାଞ୍ଚଳରେ ପରିବହନ ସୁବିଧା ମିଳିବ । ପ୍ରଥମ ପର୍ଯ୍ୟାୟରେ ପାଇଲଟ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ ଟି ଜିଲ୍ଲା – କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି,କଳାହାଣ୍ଡି ଓ ଗଜପତି ଜିଲ୍ଲାର ବ୍ଲକରୁ ପ୍ରତି ପଞ୍ଚାୟତକୁ ଗଡିବ ମୋ ବସ୍ । ରାଜ୍ୟ ପରିବହନ ସଚିବ ଉଷା ପାଢ଼ୀ ଏହି ସୂଚନା ଦେଇଛନ୍ତି। କିଛି ଦିନ ତଳେ ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ସହରାଞ୍ଚଳରେ ମଧ୍ୟ ମୋ ବସ୍ ଚଲାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।