ଭୁବନେଶ୍ୱର: ପନ୍ଦର ଦିନ ବିିତିଲାଣି; ଉତ୍ତରପ୍ରଦେଶରୁ ଆସୁଥିବା ଦୁଇଟି ଆଳୁ ଟ୍ରେନ୍ ଓଡ଼ିଶାରେ ପହଞ୍ଚି ପାରିନାହିଁ । ଏପଟେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ମଧ୍ୟ କିଛି ପରିମାଣରେ ହ୍ରାସ ପାଇଛି। ଫଳରେ ଗତ କିଛିଦିନ ହେଲା କିଲୋ ୩୫ ଟଙ୍କାରେ ବିକ୍ରି ହେଉଥିବା ଆଳୁ ପୁଣି ଚାଳିଶି ମୁହାଁ ହୋଇଛି । ଏପଟେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଆଉ ରେଳରେ ଆଳୁ ଆଣିଥିବା କଥା ବୋଧେ ଭୂଲି ଗଲେଣି । ଏପରି ଅବସ୍ଥାରେ ଖାଉଟିଙ୍କ ଦୁଃଖ କିଏ ବୁଝିବ ତାହା ସମସ୍ତଙ୍କ ପାଇଁ ଅବୁଝା ହୋଇଛି।
ଗତ ୧୮ ତାରିଖରେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ଆଳୁ ସମସ୍ୟା ସମାଧାନ ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ଅଣାଯିବ ବୋଲି କହିଥିଲେ। ଏପରିକି ଦୁଇଟି ଟ୍ରେନ୍ରେ ୪୮ ହଜାର କ୍ୱିଣ୍ଟାଲ ଆଳୁ ଲୋଡ଼୍ ହୋଇ ସାରିଛି, ଖୁବ୍ ଶୀଘ୍ର ଏହା ଓଡ଼ିଶାରେ ପହଞ୍ଚିବ ଓ ପଶ୍ଚିମବଙ୍ଗ ଉପରେ ଆଉ ଆମକୁ ନିର୍ଭର କରିବାକୁ ପଡ଼ିବ ନାହିଁ । ଲୋକମାନଙ୍କୁ ସୁଲଭ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଆଳୁ ମିଳିବ ବୋଲି ଗଣମାଧ୍ୟମକୁ କହିଥିଲେ। ମାତ୍ର ଇତିମଧ୍ୟରେ ୧୫ ଦିନ ବିତି ସାରିଲାଣି, ମାତ୍ର ଉତ୍ତରପ୍ରଦେଶରେ ଆଳୁ ଲୋଡ଼୍ ହୋଇଥିବା ଦୁଇଟି ଟ୍ରେନ୍ରୁ ଗୋଟିଏ ବି ଓଡ଼ିଶାରେ ପହଞ୍ଚି ପାରିଲା ନାହିଁ। ଯାହାକୁ ନେଇ ଏବେ ସାଧାରଣ ଲୋକ ସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ସତରେ ସରକାର ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲେ ନା ମନ୍ତ୍ରୀ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏପରି କହିଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଜୁଲାଇ ଶେଷ ସପ୍ତାହରେ ଓଡ଼ିଶାକୁ ଆଳୁ ରପ୍ତାନୀ ଉପରେ କଟକଣା ପଶ୍ଚିମବଙ୍ଗ କଟକଣା ଜାରି କଲା। ଫଳରେ ଓଡ଼ିଶାକୁ ଆଳୁ ଆମଦାନୀ କମିଲା। ଆଳୁ ସର୍ବକାଳୀନ ରେକଡର଼୍ ମହଙ୍ଗା ହେଲା। ସରକାରଙ୍କ ତରଫରୁ ଉତ୍ତରପ୍ରଦେଶ ଓ ପଞ୍ଜାବରୁ କିଛି ଆଳୁ ଆମଦାନୀ କଲେ ବି ତାହା ବଜାର ଆବଶ୍ୟକତା ପୂରଣ କରିପାରିଲା ନାହିଁ। ଏହି ସମୟରେ ଦରବୃଦ୍ଧିକୁ ନେଇ ମନ୍ତ୍ରୀ ବିଧାନସଭା ଗୃହରେ ମନ୍ତ୍ରୀ ଉତ୍ତରପ୍ରଦେଶରୁ ଆଳୁ ଆଣିବା କଥା ଘୋଷଣା କରିଥିଲେ। ସେତେବେଳେ ସେ ରାଜ୍ୟରେ ଆଳୁ ୨୫-୩୦ ଟଙ୍କା ଦରରେ ବିକ୍ରି ହେଉଛି ବୋଲି ଉଲ୍ଲେଖ କରି ଉତ୍ତରପ୍ରଦେଶରୁ ଟ୍ରେନ୍ରେ ଆସିଲେ ଆହୁରି କମ୍ ଦରରେ ଉପଲବ୍ଧ ହେବ ବୋଲି କହିଥିଲେ। ଟ୍ରେନ୍ରେ ଉତ୍ତରପ୍ରଦେଶରୁ ଆଳୁ ଆସିଲେ ଏହା ଅତିବେଶୀରେ ୩୬ ଘଣ୍ଟାରୁ ୪୮ ଘଣ୍ଟା ଲଗିବା କଥା। ମାତ୍ର ଇତିମଧ୍ୟରେ ୧୫ ଦିନ ବିତିଗଲାଣି, ମାତ୍ର ଆଳୁ ଟ୍ରେନ୍ କେଉଁଠି ଅଟକିଲା ତାହା ଜାଣି ହେଉନାହିଁ ।
ଏବେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଆଳୁ କିଲୋ ୩୫ ଟଙ୍କାରୁ ୪୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏପଟେ ପନିପରିବା, ତେଲ, ଡାଲି, ଅଟା ସବୁର ଦର ଉଚ୍ଚା ରହିଛି। ଫଳରେ ମହଙ୍ଗା ମାଡ଼ରେ ଖାଉଟି କଲବଲ ହେଉଛନ୍ତି। ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।