ଭୁବନେଶ୍ବର :ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି। ଏହି କାଳବୈଶାଖୀ ବର୍ଷର ପ୍ରଥମ କାଳବୈଶାଖୀ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ିରେ ଜୀବନହାନୀ ହୋଇଥିବା ନେଇ ଖବର ଆସିଛି। ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଜଣେ ୧୭ ବର୍ଷୀୟ କିଶୋରଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ସେ ବିଲରେ ଗାଇ ଚରାଇବା ସମୟରେ ବଜ୍ରାଘାତ ହୋଇ ପ୍ରାଣହରାଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଂଙ୍କା କରାଯାଇଥିଲା। ଏଥି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାପାଳ ମାନଙ୍କୁ ସତର୍କ ସୂଚନା ଦିଆଯାଇଥିଲା। ଏବଂ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଗତକାଲି କେନ୍ଦୁଝର ତେଲକୋଇ ଅଞ୍ଚଳରେ ମଧ୍ୟ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ସେହିପରି ଦାରିଙ୍ଗବାଡ଼ିର ସାଙ୍ଗୁଡୁମାହାଠାରେ ବଜ୍ରପାତ ଯୋଗୁଁ ମୋଟ୍ ୧୦ ଟି ଗାଈ ଓ ବଳଦଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ପବନର ବେଗ ୫୦କିମି ପର୍ଯ୍ୟନ୍ତ ପହଞ୍ଚିବା ନେଇ ବିଭାଗ ଆକଳନ କରିଛି । ପବନ ସହ ବିଜୁଳି, ଘଡଘଡି ଏବଂ ମଧ୍ୟମ ଧରଣର ବର୍ଷା ମଧ୍ୟ ଏଠାରେ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୨୪ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ରେକର୍ଡ କରିଛି। ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି। ଗୁରୁବାର ମଧ୍ୟ ଏହି ସ୍ଥିତି ଅନେକ ଜିଲ୍ଲାରେ ଜାରି ରହିବ ବୋଲି ପାଣିପାଗ ଆକଳନ କରିଛି।
ବିଶେଷ କରି ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ୫ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନ ଥିବା ବେଳେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକଠାରୁ ୨-୩ ଡିଗ୍ରୀ ଅଧିକ ରହିବ। ଗତ ୨୪ ଘଣ୍ଟାରେ ରାଜ୍ୟର ୭ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଥିବା ବେଳେ ୪୧୮ ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।