ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ

ବୈଶିଙ୍ଗା: ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡ଼ି ଚାଲିଗଲା ମହିଳାଙ୍କ ଜୀବନ । ପ୍ରବଳ ବର୍ଷାରେ ଓଦା ହୋଇ ଦୁର୍ବଳ ପଡ଼ିଥିବା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଭୁଡୁରୁବଣି ଗ୍ରାମର ଭଗବାନ ଓଝାଙ୍କ ସ୍ତ୍ରୀ ଶୈଳ ଓଝା (୫୩)। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭୋଜନ ସାରି ଭଗବାନ ଓ ତାଙ୍କ ସ୍ତ୍ରୀ ଶୈଳ ଘର ବାରଣ୍ଡାରେ ଥିବା ତେଜରାତି ଦୋକାନ ନିକଟରେ ଶୋଇଥିଲେ। ମଧ୍ୟରାତ୍ରିରେ ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା ପାଖ କାନ୍ଥ ହଠାତ୍‌ ଭୁଶୁଡ଼ି ଉଭୟଙ୍କ ଉପରେ ପଡ଼ିଥିଲା।

କାନ୍ଥ ତଳେ ଚାପି ହୋଇ ଭଗବାନ ସାମାନ୍ୟ ଆହତ ହୋଇଥିବା ବେଳେ ଶୈଳଙ୍କ ଛାତି ଉପରେ କାନ୍ଥର ଏକ ବଡ଼ ଅଂଶ ପଡ଼ିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ରେମୁଣାସ୍ଥିତ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୈଳଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିବାବେଳେ ଗାଁରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

About The Author: Madhusudan Das