ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ଯରେ ଜଣେ ମହିଳା ରହିଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନା ଅନୁଯାୟୀ, ଘାଟି ରାସ୍ତାରେ ଏକ ମାଲବୋଝେଇ ଟ୍ରକ ସହ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ବୋଲେରୋଟି ଚାପି ହୋଇ ଯାଇଥିଲା। ଫଳରେ ବୋଲେରୋରେ ଥିବା ଯାତ୍ରୀ ମାନେ ଚାପି ହୋଇ ରହିଥିଲେ। କଟର ମେସିନ ସହାୟତାରେ ଉଦ୍ଧାର ପରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି। ଅନ୍ୟ ୩ଜଣ ଗୁରୁତର ଆହାତଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପାଇଁ କିଛି ସମୟ ଘାଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ପାଇଁ ଜାମ ହୋଇଥିଲା। ପୁଲିସ ପହଞ୍ଚି ରାସ୍ତା ଜାମ ହଟାଇଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ଓ ସମ୍ପୂର୍ଣ୍ଣ ବିବରଣୀ ମିଳିପାରି ନାହିଁ। ଦୁର୍ଘଟଣାରେ ମୃତାହତ ସମସ୍ତେ ଗୋଟିଏ ପରିବାରର ଅନୁମାନ କରାଯାଉଛି।