ବାରିପଦା: ମୟୂରଭଞ୍ଜ ପୁଲିସର ସ୍ୱତନ୍ତ୍ର ଟିମ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ମହୁଲଡିହା ଥାନାର ଭେଜିଡିହା ଗ୍ରାମରେ ଚାଲୁଥିବା ଏକ ବେଆଇନ ଦେଶୀ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଛି। ଚଢାଉ ସମୟରେ ଗୋଟିଏ ଦେଶୀ ବନ୍ଧୁକ, ୪ ଗୋଟି ବେରେଲ, ୨ଟି ସକେଟ, ଗୋଟିଏ ୱେଲଡିଙ୍ଗ ମେସିନ ଜବତ କରିବା ସହିତ ଅଭିଯୁକ୍ତ ଜିତୁ ଲୋହାର (୨୫)କୁ ଗିରଫ କରିଛି। ସୋମବାର ଅପରାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଏସପି ବାତୁଲ ଗଙ୍ଗାଧର ସୂଚନା ପ୍ରଦାନ କରିଛନ୍ତି ।
ସେହିପରି ଅନ୍ୟ ମାମଲାରେ ମହୁଲଡିହା ଥାନାର ପାତ୍ରପଡା ଗ୍ରାମରେ ଚଢାଉ କରାଯାଇ ଗୋଟିଏ ବଜ୍ରକାପ୍ତା ଚମଡା ସହିତ ୧୧୦ଟି କାତି ଜବତ କରାଯାଇଛି । ଏବଂ ଅଭିଯୁକ୍ତ ମାନସିଂ ହୋ ନାମକ ଅଭିଯୁକ୍ତଙ୍କୁ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲଂଘନ ଅଭିଯୋଗରେ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।
ଏବେ ନିୟମିତ ଭାବେ ବନବିଭାଗର କର୍ମଚାରୀ ଏବଂ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଏବଂ ତାର ପାଦଦେଶରେ ଥିବା ଅଂଚଳରେ ବ୍ୟାପକ ଭାବେ ଖାନତଲାସ ଏବଂ କୋମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହି ଅବସରରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତି ମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେମାନେ ସ୍ୱଇଛାରେ ଚଳିତ ମାସ ୩୧ତାରିଖ ମଧ୍ୟରେ ପୁଲିସ ନିକଟରେ ଜମା କରି ପୁରସ୍କୃତ ହୁଅନ୍ତୁ ଅନ୍ୟଥା ଗିରଫ ହେବା ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ମୟୂରଭଞ୍ଜ ଏସପି ବାତୁଲ ଗଙ୍ଗାଧର।