୩ଟି ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ପ୍ରସଙ୍ଗ: କ୍ଷତିଭରଣା ପାଇଁ ୨ ଲିଜଧାରୀଙ୍କୁ ୩୬.୬୯କୋଟି ଟଙ୍କା ଦାଖଲ ନିର୍ଦ୍ଦେଶ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ୟୁବନାଲ ଇଷ୍ଟର୍ଣ୍ଣ ବେଞ୍ଚ(ଏନଜିଟି) କଲିକତା ପକ୍ଷରୁ ହୋଇଥିବା ୩ଟି ମାମଲାର ସଂରକ୍ଷିତ ଥିବା ରାୟ ଗୁରୁବାର ଶୁଣାଣି ପରେ ପ୍ରକାଶ ପାଇଛି । ୨ଜଣ ଅଭିଯୁକ୍ତ ଲିଜଧାରୀ ଚଳିତ ଡିସେମ୍ବମର ୭ତାରିଖ ସୁଦ୍ଧା କ୍ଷତିପୂରଣ ବାବଦକୁ ୩୬କୋଟି ୬୮ଲକ୍ଷ ୭୦ହଜାର ୧୨୧ଟଙ୍କା ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ ଅଛି । ମୟୁରଭଞ୍ଜ […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ୟୁବନାଲ ଇଷ୍ଟର୍ଣ୍ଣ ବେଞ୍ଚ(ଏନଜିଟି) କଲିକତା ପକ୍ଷରୁ ହୋଇଥିବା ୩ଟି ମାମଲାର ସଂରକ୍ଷିତ ଥିବା ରାୟ ଗୁରୁବାର ଶୁଣାଣି ପରେ ପ୍ରକାଶ ପାଇଛି । ୨ଜଣ ଅଭିଯୁକ୍ତ ଲିଜଧାରୀ ଚଳିତ ଡିସେମ୍ବମର ୭ତାରିଖ ସୁଦ୍ଧା କ୍ଷତିପୂରଣ ବାବଦକୁ ୩୬କୋଟି ୬୮ଲକ୍ଷ ୭୦ହଜାର ୧୨୧ଟଙ୍କା ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ ଅଛି । ମୟୁରଭଞ୍ଜ ଜିଲ୍ଲାପାଳ ଦାଖଲ କରିଥିବା ସତ୍ୟପାଠର ସମସ୍ତ ରିପୋର୍ଟକୁ ଭିତ୍ତି କରି ଜୁଡିସିଆଲ ମେମ୍ବର ଜଷ୍ଟିସ ବି.ଅମିତ ସ୍ଥହେଲକାର ଓ ଏକ୍ସପୋର୍ଟ ମେମ୍ବର ସାଇବଲ ଦାସଗୁପ୍ତା ଏହାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।

୫୫ପୃଷ୍ଠାର ପ୍ରକାଶିତ ରାୟ ଅନୁଯାୟୀ, ବଡ଼ସାହି ତହସିଲ ଅଧୀନ ଆରପଟ୍ଟା ଓ ଡିଙ୍ଗିରା ଏବଂ ମହୁପୁରା ସଇରାତରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ବଡ଼ସାହି ବ୍ଳକ ଛେଳିଆ ପୁନ୍ଦାଳ ଗ୍ରାମର ରାଧା ମୋହନ ସିଂଙ୍କ ଅଭିଯୋଗ କ୍ରମେ ୩୦/୨୨/ , ୩୧/୨୨ ଓ ୪୦/୨୨ ଇଜେଡ୍‌ରେ ୩ଟି ମାମଲା ଏନଜିଟିରେ ରୁଜୁ ହୋଇଥିଲା । ଏହାକୁ ନେଇ ଅଗଷ୍ଟ ୨୫ତାରିଖରେ ଏନଜିଟି ଷ୍ଟାଣ୍ଡିଂ କମିଟିର ଅତିରିକ୍ତ ଅଧିକାରୀ ତାପସ କୁମାର ପ୍ରହରାଜ, ଆଇନଜୀବୀ ଦୀପାଞ୍ଜନ ଘୋଷ, ଗୋରାଚାନ୍ଦ ରାୟ ଚୌଧୂରୀ, ଶିବଜ୍ୟୋତି ଚକ୍ରବର୍ତ୍ତୀ, ପାଉଶାଲୀ ବାନାର୍ଜୀ ଓ ଦେବାଶିଷ ଘୋଷଙ୍କ ଉପସ୍ଥିତିରେ ଭଚ୍‌ର୍ଚୁଆଲ ମୋଡରେ ମାମଲାର ବିଚାର ଶେଷ ହୋଇଥିଲା । ତେବେ ରାୟ ଶୁଣାଣି ସଂରକ୍ଷିତ ରହିଥିଲା ।

ଆରପଟ୍ଟା ସଇରାତରୁ ବହୁଗୁଣା ବାଲି ଉତ୍ତୋଳନ କରାଯାଇ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୪କୋଟି ୭୧ଲକ୍ଷ ୩୮ହଜାର ୮୬୮ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଟଙ୍କା ଓ ରାଜସ୍ୱ ହାନି ବାବଦରେ ୧କୋଟି ୯୧ଲକ୍ଷ ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୬କୋଟି ୯୩ଲକ୍ଷ ୩୮ହଜାର ୮୬୮ଟଙ୍କା ଜରିମାନା ଦେବାକୁ ରାୟରେ ପ୍ରକାଶ ପାଇଛି ।

ସେହିପରି ଡିଙ୍ଗିରା ସଇରାତ ବାବଦରେ ୧୧କୋଟି ୮୯ଲକ୍ଷ ୭୭ହଜାର ୪୦୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ୱ ହାନି ବାବଦରେ ୧କୋଟି ୩୬ଲକ୍ଷ ୫୦ହଜାର ୬୦୫ଟଙ୍କାର କ୍ଷତିପୂରଣକୁ ମିଶାଇ ମୋଟ ୧୩କୋଟି ୪୭ଲକ୍ଷ ୨୮ହଜାର ୯ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆରପଟା ଓ ଡିଙ୍ଗିରା ସଇରାତରୁ ମୋଟ ୨୦କୋଟି ୪୦ଲକ୍ଷ ୬୬ହଜାର ୮୭୭ଟଙ୍କା ପୈଠ କରିବାକୁ ଲିଜଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ବର୍ତ୍ତମାନ ଜେଲରେ ରହିଛନ୍ତି ।

ସେହିପରି ମହୁପୁରା ସଇରାତରୁ ପରିବେଶ ଓ ଜୈବ ବିବିଧତାରେ କ୍ଷତି ପହଞ୍ଚାଇବା ବାବଦରେ ୧୨କୋଟି ୩୫ଲକ୍ଷ ୮୪ହଜାର ୮୪୪ଟଙ୍କା ଓ ପରିବେଶ କ୍ଷତି ପାଇଁ ୨୧ଲକ୍ଷ ଓ ରାଜସ୍ୱ ହାନି ବାବଦରେ ୩କୋଟି ୭୧ଲକ୍ଷ ୧୮ହଜାର ୪ଶହ ଟଙ୍କାକୁ ମିଶାଇ ମୋଟ ୧୬କୋଟି ୨୮ଲକ୍ଷ ୩ହଜାର ୨୪୪ଟଙ୍କା ପୈଠ କରିବାକୁ ଲିଜଧାରୀ କୃପାସିନ୍ଧୁ ସିଂକୁ ନିର୍ଦ୍ଦେଶ ଦିଆଯାଇଛି । କୃପାସିନ୍ଧୁଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ସାହି ଥାନାରେ ଲିଖିତ ଅଭିଯୋଗ ସତ୍ତେ୍ୱ ପୁଲିସ ତାଙ୍କୁ ଏଯାଏଁ ଗିରଫ କରିନାହିଁ । ଉଭୟ ଲିଜଧାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ପୃଥକ ଭାବେ ଜରିମାନା ପୈଠ ନକଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଦେଶ ଦିଆଯାଇଛି । ତେବେ ମହୁପୁରା ସଇରାତରେ ସରକାରୀ ସମ୍ପତ୍ତିର ଅପବ୍ୟବହାର, ନିଜ କ୍ଷମତାର ଦୁରୂପଯୋଗ, ବେଆଇନ ବାଲି ଉତ୍ତୋଳନରେ ସାମିଲ ହୋଇଥିବା ତତ୍କାଳୀନ ତହସିଲଦାର ମମତାଜ ମହାରଣାଙ୍କ ବିରୁଦ୍ଧରେ ଆଇପିସି, ସିଆରପିସି ଏବଂ ପବ୍ଳିକ ଅର୍ଥ ହେରଫେର ଆକ୍ଟ ୨୦୦୨କୁ ନେଇ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ସେ ଚାକିରୀରୁ ନିଲମ୍ବିତ ହେବା ସହିତ ବର୍ତ୍ତମାନ ଜାମିନରେ ଥାଇ ପ୍ରତିଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହୁଛନ୍ତି ।

ଏନଜିଟି ଏହି ବେଆଇନ ବାଲି ଉତ୍ତୋଳନ ମାମଲାରେ ମୟୁରଭଞ୍ଜ ଜିଲ୍ଲାରେ ଥିବା ସଇରାତ ଗୁଡିକରେ ସିସିଟିଭି ଲଗାଇବା ସହ ପରିବହନରେ ନିୟୋଜିତ ଯାନ ଗୁଡିକରେ ଜିପିଏସ ଓ ସଇରାତରେ ତଦାରଖକାରୀ ସ୍କ୍ୱାର୍ଡ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଥିବା ବେଳେ ଦାଖଲ ହୋଇଥିବା ସତ୍ୟପାଠକୁ ନେଇ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରୀୟ ପରିବେଶ କଂଟ୍ରୋଲ ବୋର୍ଡ, ରାଜ୍ୟ ପରିବେଶ ପ୍ରଭାବ ଆକଳନ ବିଭାଗ ଓ ଜଙ୍ଗଲ ଜଳବାୟୁ ପ୍ରବର୍ତ୍ତନ ମନ୍ତ୍ରଣାଳୟର ଆଇନଜୀବୀ ନିଜର ପକ୍ଷ ରଖିଥିଲେ ।

About The Author: The Sakala