‘ଆବାସ’ ମରାମତି ଟଙ୍କା ନ ଦେବାରୁ ଜେଜେମା’କୁ ହତ୍ୟା କଲା ନାତି

ବାରିପଦା: ବଡ଼ସାହି ଥାନା ଭୀମଦା ପଞ୍ଚାୟତର ରତନପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆବାସ ଗୃହ ମରାମତି ପାଇଁ ମିଳିଥିବା ଅନୁଦାନ ରାଶି ଜେଜେ ମା’ ନଦେବାରୁ ନାତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାତି ଜଣଙ୍କ ଜେଜେ ମା’ଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ସ୍ୱରୂପ ଗାଁରେ କାହାକୁ ନଜଣାଇ ପୋତିଦେଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ପାଇ ବେତନଟୀ ଏସଡ଼ିପିଓ ସୁଦର୍ଶନ ଦାଶ ଓ ବଡ଼ସାହି ଆଇଆଇସି […]

ବାରିପଦା: ବଡ଼ସାହି ଥାନା ଭୀମଦା ପଞ୍ଚାୟତର ରତନପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆବାସ ଗୃହ ମରାମତି ପାଇଁ ମିଳିଥିବା ଅନୁଦାନ ରାଶି ଜେଜେ ମା’ ନଦେବାରୁ ନାତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାତି ଜଣଙ୍କ ଜେଜେ ମା’ଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ସ୍ୱରୂପ ଗାଁରେ କାହାକୁ ନଜଣାଇ ପୋତିଦେଇଥିବା ନେଇ ଗ୍ରାମବାସୀ ଜାଣିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ପାଇ ବେତନଟୀ ଏସଡ଼ିପିଓ ସୁଦର୍ଶନ ଦାଶ ଓ ବଡ଼ସାହି ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟ ରତନପୁର ଯାଇ ଅତିରକ୍ତ ତହସିଲଦାର ପୃଥ୍ୱୀରାଜ ପରିଡ଼ାଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ସନ୍ଧାନୀ କୁକୁର ସହିତ ତଦନ୍ତ ପରେ ମାଟି ତଳୁ ଶବ ଉଦ୍ଧାର କରିବା ସହ ଗ୍ରାମବାସୀ ଅଟକ ରଖିଥିବା ନିଶାଶକ୍ତ ଅଭିଯୁକ୍ତ ନାତିକୁ ଗିରଫ କରିଛନ୍ତି। ରବିବାର ତା’ର ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ଜଣଙ୍କ ହେଲେ ଦେବ ସିଂ(୨୮)। ସେ ଓ ତାଙ୍କର ଜଣେ ଅବିବାହିତ ଭଉଣୀ ସୁନି (୧୭) ଜେଜେ ମା’ ରଇବାରୀ ସିଂଙ୍କ ସହିତ ରହୁଥିଲେ। ବାପା-ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ବଡ଼ଭଉଣୀ ବିବାହିତ। ମଝିଆ ଭଉଣୀ ଭୁବନେଶ୍ୱରରେ ମଜୁରିଆ ଭାବେ କାର୍ଯ୍ୟକରନ୍ତି। ତେବେ ଦେବ ଅଧିକାଂଶ ସମୟରେ ନିଶାଗ୍ରସ୍ତ ରହୁଥିବା ବେଳେ ଜେଜେ ମା’ଙ୍କ ଭତ୍ତା ଟଙ୍କା, ରାସନ ସାମଗ୍ରୀ ଜୋର ଜବରଦସ୍ତ ନେଇ ପ୍ରତିବଦଳରେ ନିଶା ସେବନ କରିଥାଏ। ନିକଟରେ ଜେଜେ ମା’ଙ୍କ ଆବାସ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩ହଜାର ଟଙ୍କା ଅନୁଦାନ ରାଶି ମିଳିଥିଲା। ଯାହା ନେବା ପାଇଁ ଦେବ ଉଗ୍ର ହୋଇ ଉଠିଥିଲା। ଭଉଣୀ ସୁନି ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲା। ଭୟଭୀତ ହୋଇ ମକର ସଂକ୍ରାନ୍ତି ରାତିରେ ସେ ନିଜ ବଡ଼ବାପାଙ୍କ ଘରକୁ ପଳାଇଥିଲେ। ତେବେ ଶନିବାର ସକାଳେ ଆସି ଜେଜେ ମା’କୁ ପାଇନଥିଲେ। ଜେଜେ ମା’ଶୋଇଥିବା ସ୍ଥାନରେ ଏକ ରଶି ଦଉଡ଼ି ପାଇଥିଲେ। ବାଡ଼ି ପଟେ ସପ ଓ ବିଛଣା ପଡ଼ିଥିବା ବେଳେ ଗୋଟିଏ ସ୍ଥାନରେ ଗାତ ଖୋଳି ପୋତା ଯାଇଥିବା ଦେଖି ଭଉଣୀ ଗ୍ରାମବାସୀଙ୍କୁ ଜଣାଇଥିଲେ।

ଖବର ପ୍ରଚାରିତ ହେବା ପରେ ଦେବଙ୍କୁ ଘଟଣା ସମ୍ପର୍କରେ ପଚାରିବାକୁ ଗ୍ରାମବାସୀ ପହଞ୍ଚିବା ବେଳକୁ ଦେବ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲା। ତେବେ କିଛି ବାଟ ଯିବା ପରେ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡ଼ ମାରି କ୍ଲବ ଘରେ ବନ୍ଦ କରିଦେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି। ମୃତ ରଇବାରୀଙ୍କ ବେକରେ ରଶି ଦାଗ ଥିବାରୁ ସମ୍ଭବତଃ ଦୌଡ଼ିରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅନୁମାନ କରାଯାଉଛି। ଦଉଡ଼ିଟିକୁ ମଧ୍ୟ ପୁଲିସ ଜବତ କରିଛି। ସାଇଣ୍ଟିଫିକ ଟିମ ନମୂନା ସଂଗ୍ରହ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବାରିପଦ ପଠାଯିବା ସହିତ ଅଧିକ ତଦନ୍ତ ଜାରି ରହିଛି।

About The Author: The Sakala