ବାରିପଦା: ଗତ ୨୨ତାରିଖରେ ଶିକାରୀ ଗୁଳିରେ ଶିମିଳିପାଳ ଅଭୟାରଣ୍ୟର କାର୍ଯ୍ୟରତ ବନରକ୍ଷୀଙ୍କ ମୃତ୍ୟୁ ଘଟଣାରେ ଜଡିତ ୩ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହିତ ଜାରି ଥିବା କୁମ୍ବିଂ ଅପରେସନରେ ଆଉ ୩ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ପୃଥକ ଘଟଣାରେ ଯଥାକ୍ରମେ ଗୋଟିଏ ଓ ୨ଟି ମିଶି ମୋଟ ୩ଟି ଦେଶୀ ବନ୍ଧୁକ ସମେତ ଅଫୁଟା ଗୁଳି ଓ ଶିକାର ସରଞ୍ଜାମକୁ ଜବତ କରିଛି । ବନରକ୍ଷୀ ଗୁଳିକାଣ୍ଡରେ ଜଡ଼ିତ ଅଭିଯୁକ୍ତ ମାନେ ହେଲେ ବାଙ୍ଗରିପୋଷି ଥାନା ଅଧୀନ ସୁନାପୋଷି ଗ୍ରାମର ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂ, କୁଆଳି ଗ୍ରାମର ସୁକୁଲାଲ ମାରାଣ୍ଡି ଓ ସୁନାପୋଷି ଜରଗାଡେହି ଗ୍ରାମର ସୁକୁରା ଓରଫ ଜୁଗୁଳୁ ସିଂ ।
ସେହିପରି ପୁଲିସ ଓ ବନବିଭାଗର ମିଳିତ କୁମ୍ବିଂ ଅପରେସନରେ ବଡ଼ସାହି ଥାନା ଅଧୀନ ଚମ୍ପାଗଡ଼ ଗ୍ରାମରୁ ଶୁକ୍ରବାର ୩ଜଣ ଶିକାରୀକୁ ଗିରଫ କରିବା ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ସେମାନେ ହେଲେ ଶଙ୍କର ମଲ୍ଲିକ(୪୨),ବାବୁ ଭାଣ୍ଟା(୨୩) ଓ ମଣ୍ଟୁ ନାଏକ(୨୬) । ସେମାନଙ୍କ ଠାରୁ ଗୋଟିଏ ଜିଆଇ ପାଇପ, ୨୦ଗ୍ରାମ ବାରୁଦ, ୨୦ଗ୍ରାମ ସଲଫର, ୧୫୦ଟି ସାଇକେଲ ବଲ ଓ ୨୫୦ଟି ଲୁହା ବଲକୁ ଜବତ କରିଛନ୍ତି । ଏ ସଂକ୍ରାନ୍ତରେ ବଡ଼ସାହି ପୁଲିସ ଆର୍ମ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଦ୍ୟାବଧି ବନରକ୍ଷୀଙ୍କ ମୃତ୍ୟୁ ପରେ ମୋଟ ୯ଶିକାରୀଙ୍କୁ ଗିରଫ କରିବା ସହ ୬ଟି ଦେଶୀ ବନ୍ଧୁକ ଜବତ କରାଗଲାଣି । ଶିମିଳିପାଳ ସଂଲଗ୍ନ ଥାନା ଗୁଡିକର ଅଧିକାରୀ ଓ ବନକର୍ମଚାରୀମାନଙ୍କୁ ନେଇ ଟିମ ଗଠନ କରାଯାଇ ଅପରେସନ ଜାରି ରହିଛି ।