ବାରିପଦା: ଘରୋଇ କଳହ ଉଗ୍ର ରୂପ ନେବା ସହ ଗୋଷ୍ଠୀ ସଂଘର୍ଷ । ରାସ୍ତାରେ ଖଣ୍ଡା ଭୁଜାଲି ବୁଲିଲା। ଏହିପରି ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ସିନ୍ଦୁରଗୌରା ଅଂଚଳରେ। ଘରୋଇ ହିଂସାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣାକୁ କେନ୍ଦ୍ର କରି ସଙ୍ଘବଦ୍ଧ ଭାବେ କିଛି ମହିଳା ଅନ୍ୟ ଏକ ଗୋଷ୍ଠିର ମହିଳାକୁ ଠେଙ୍ଗା, ଭୁଜାଲିରେ ଆକ୍ରମଣ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବାରିପଦା ଅଞ୍ଚଳରେ କାଳିକାପୁରର ଲକ୍ଷ୍ମୀ ବାରିକ ନାମକ ଜଣେ ମହିଳାଙ୍କ ବିବାହ ସିନ୍ଦୁରଗୌରା ଅଞ୍ଚଳର ବିକାଶ ବାରିକଙ୍କ ସହିତ ହୋଇଥିଲା। ଦୁଇ ପରିବାର ମଧ୍ୟରେ କୌଣସି କାରଣରୁ ଅଶାନ୍ତି ସୃଷ୍ଟି ହେବାପରେ ଝିଅ ଘର ଲୋକେ ଠେଙ୍ଗାବାଡି ଧରି ସେଠାକୁ ଯାଇଥିବା ବେଳେ ଦୁଇ ଗାଁ ଲୋକଙ୍କ ମଧ୍ୟରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିବା ଜଣାପଡିଛି। ସ୍ଥାନୀୟ ୱାର୍ଡ ମେମ୍ବର ଓ ତାଙ୍କ ସ୍ୱାମୀ ବିରୋଧ କରୁଥିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ପୁଅଘର ତଥା ତାଙ୍କ ଗ୍ରାମବାସୀ ପ୍ରଥମେ ଆକ୍ରମଣ କରିଥିବା ପାଲଟା ଅଭିଯୋଗ ହୋଇଛି। ଏ ଘଟଣାରେ ଉଭୟ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜ୍ଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ବାରିପଦା ସଦର ଏସଡିପିଓ କେକେ ହରିପ୍ରସାଦ। ଗଣ୍ଡଗୋଳରେ ମୋଟ ୬ ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଜାରି ରଖିଥିବା ଜଣା ପଡିଛି।