ବାହାନଗା ରେଳ ଦୁର୍ଘଟଣା: ମୟୂରଭଞ୍ଜ ଜିଲ୍ଲାରୁ ୪ମୃତ, ୩ଗୁରୁତର, ୧୪ ଯାତ୍ରୀଙ୍କର ମିଳୁନି ଖବର

ବାରିପଦା/କପ୍ତିପଦା/କୁଳିଅଣା: ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଶୁକ୍ରବାର ସନ୍ଧ୍ୟା ଛାତି ଥରା ରେଳ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୪ଜଣ ଟ୍ରେନ ଯାତ୍ରୀଙ୍କର ମୃତ୍ୟ ଘଟିଛି। ତତସହିତ ୩ଜଣ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୪ଜଣକ ଖବର ମିଳୁନାହିଁ । ଦୁର୍ଘଟଣା ଗ୍ରସ୍ତ ଟ୍ରେନରେ ଯାତ୍ରା କରୁଥିବା ଜିଲ୍ଲାର ୪ଜଣ ଯାତ୍ରୀ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଆଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ଅନୁରାଗ ଦାସ(୧୯), ମୋରଡା ଥାନା ଅଧୀନ […]

ବାରିପଦା/କପ୍ତିପଦା/କୁଳିଅଣା: ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ଶୁକ୍ରବାର ସନ୍ଧ୍ୟା ଛାତି ଥରା ରେଳ ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ୪ଜଣ ଟ୍ରେନ ଯାତ୍ରୀଙ୍କର ମୃତ୍ୟ ଘଟିଛି। ତତସହିତ ୩ଜଣ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୪ଜଣକ ଖବର ମିଳୁନାହିଁ । ଦୁର୍ଘଟଣା ଗ୍ରସ୍ତ ଟ୍ରେନରେ ଯାତ୍ରା କରୁଥିବା ଜିଲ୍ଲାର ୪ଜଣ ଯାତ୍ରୀ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଆଡା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ଅନୁରାଗ ଦାସ(୧୯), ମୋରଡା ଥାନା ଅଧୀନ ଗଡିଆ ପଂଚାୟତର ପୁଟକିଶୋଳ ଗ୍ରାମର ଭାଗରଥି ଦାସଙ୍କ ପୁଅ ଭରତ ଦାସ, କୁଳିଅଣା ବ୍ଲକର ଗେଣ୍ଡା ପୋଖରୀ ଗ୍ରାମ ପଞ୍ଚାୟତର ପୋଖରୀଆ ଗ୍ରାମର ଜଗନ୍ନାଥ ହାଁସଦାଃଙ୍କ ପୁଅ ସୁନାରାମ ହାଁସଦାଃ(୪୮) ଏବଂ କପ୍ତିପଦା ବ୍ଲକ ଝିଙ୍କପଦା ପଞ୍ଚାୟତ ସୌଭାଗ୍ୟ ଦେଇପୁର ଗ୍ରାମର ରଜନୀକାନ୍ତ ବେହେରାଙ୍କ ଦୁର୍ଘଟଣାରେ ପ୍ରାଣହାନୀ ହୋଇଛି।
ଏମାନେ କାର୍ଯ୍ୟସ୍ଥଳକୁ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ଖବର ପାଇ ମୃତଦେହ ଗାଁକୁ ଆଣିବା ପରେ କାନ୍ଦ ବୋବାଳି ସହ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସେହିପରି ମୋରଡା ବ୍ଲକ ଅଞ୍ଚଳରୁ ଗଡିଆ ପଂଚାୟତର ପୁଟକିଶୋଳ ଗ୍ରାମର ୪ଜଣ ଚେନ୍ନାଇକୁ ଯାଉଥିବା ବେଳେ ଦୁର୍ଘଟଣାରେ ଜଣକ ମୃତ୍ୟ ହୋଇଥିବା ବେଳେ ୩ଜଣକ ପତ୍ତା ମିଳିନାହିଁ। ସେମାନେ ହେଲେ ଉକ୍ତ ଗ୍ରାମର ଅକ୍ଷୟ ସିଂଙ୍କ ପୁଅ କୀର୍ତନ, ଦାଶରଥି ଦାସଙ୍କ ପୁଅ ବ୍ରହ୍ମାକାନ୍ତ ଓ ତାରାକାନ୍ତ ପାଟବନ୍ଧାଙ୍କ ପୁଅ ସତ୍ୟନାଥ।
ଏଥି ସହିତ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନାଫ୍ରି ପଂଚାୟତର ଆନ୍ଦୋଲା ଗ୍ରାମର କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ଜଗଦୀଶ ସାହୁ(୨୫)ଙ୍କ ପତ୍ତା ମିଳୁନାହିଁ। ତେବେ ଜଗଦୀଶଙ୍କ ସହିତ ଥିବା ତାଙ୍କ ବନ୍ଧୁର ମୃତଦେହ ଉଦ୍ଧାର ହୋଇଛି। ଦୁର୍ଘଟଣାରେ ଆହତ ୩ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଝାଟିଅଡା ପଞ୍ଚାୟତ ମଙ୍ଗଳପୁର ଗ୍ରାମର ମୃତ୍ୟୁଞ୍ଜୟ ଦାସଙ୍କ ପୁଅ ଅନୁରାଗ ଦିବେନ୍ଦୁ ଦାସ(୧୭), ବୈଶିଙ୍ଗା ଥାନା ଅନ୍ତର୍ଗତ ମହୁରୀ ଗ୍ରାମର ଦୀପକ ରାଉତ(୧୮) ଓ କଦଳିଆ ଗ୍ରାମର ସୁମନ ଦେହୁରୀ ଅଟନ୍ତି। ୩ଜଣ ଗୁରୁତର ଆହତ ହୋଇଥିବାରୁ ଭଦ୍ରକ ହସ୍ପିଟାଲରୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି। ଶ୍ରମିକ ଠିକାଦାର ସୁମନ ଦେହୁରୀ ବେତନଟୀ ବ୍ଲକର ୧୧ଜଣଙ୍କୁ ନେଇ ଚେନ୍ନାଇ ଯାଉଥିବା ବେଳେ କେବଳ ମହୁରୀର ଦୀପକଙ୍କ ଖବର ମିଳିଛି, ବାକି ୧୦ଜଣଙ୍କ ଖବର ମିଳୁନି ।
ଅପର ପକ୍ଷରେ ଦୁର୍ଘଟଣା ପରେପରେ ମୟୂରଭଞ୍ଜ ଜିଲ୍ଲାରୁ ସେବା ଯୋଗାଇବା ପାଇଁ ବିଭିନ୍ନ ମହଲରୁ ସୁଅ ଛୁଟିଥିଲା।  ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା ରୂପଭାନୁ ମିଶ୍ରଙ୍କ ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଶୁକ୍ରବାର ରାତିରେ ୧୮ଜଣ ଡାକ୍ତର, ୩ଟି ଆମ୍ବୁଲାନ୍ସ, ୪ଟି ଶବବୋହିବା ଯାନ ଓ ଆବଶ୍ୟକ ଔଷଧପତ୍ର ସହିତ ଦୁର୍ଘଟଣା ସ୍ଥଳକୁ ଯାଇ ସେବା ଯୋଗାଉଛନ୍ତି। ସେହିପରି ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରୁ ୨ଟି ଦଳ ଓ ବାଲେଶ୍ଵର ସୀମାନ୍ତବର୍ତ୍ତୀ ଉଦଳା ଓ ବେତନଟୀ ଏସଡିପିଓ, ସମସ୍ତ ଥାନା ଅଧିକାରୀ, ଅଫିସର ଓ କର୍ମଚାରୀ ମଧ୍ୟ ଶୁକ୍ରବାର ରାତିରୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ଜିଲ୍ଲାର ଅନେକ ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳର କର୍ମୀ ବାହାନଗା ଠାରୁ ଆରମ୍ଭ କରି ବାଲେଶ୍ଵର ପର୍ଯ୍ୟନ୍ତ ସେବା ଯୋଗାଇଛନ୍ତି।

About The Author: The Sakala