ଭୁବନେଶ୍ୱର : ବୁଧବାର ଦିନ ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। ସପ୍ତାହର ଅନ୍ୟ ଦିନ ତୁଳନାରେ ଏହି ଦିନ ଅଧିକ ଲୋକ ସଡ଼କ ଦୁର୍ଘଟଣା ହାର ଅଧିକ ରହୁଛି। ସେହି ଅନୁସାରେ ମୃତାହତଙ୍କ ସଂଖ୍ୟା ମଧ୍ୟ ଅଧିକ ରହୁଛି। ତେଣୁ ସପ୍ତାହର ପ୍ରତି ମଙ୍ଗଳବାର ପରିବର୍ତ୍ତେ ପ୍ରତି ବୁଧବାର ଦିନ ରାଜ୍ୟବ୍ୟାପୀ ଶୂନ୍ୟ ସହନଶୀଳ ଦିବସ ପାଳନ କରି ଯାନବାହନ ଯାଞ୍ଚ କଡ଼ାକଡ଼ି କରିବା ଲାଗି ପରିବହନ ବିଭାଗ ବିଚାର କରୁଛି। ଅପରପକ୍ଷେ ରାଜ୍ୟରେ ସଡ଼କ ଦୁର୍ଘଟଣା ହାରରେ ବିଶେଷ ପରିବର୍ତ୍ତନ ଆସୁ ନଥିବାରୁ ଜିଲ୍ଲାରେ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ ପ୍ରତିକାର ରଣନୀତି ରିପୋର୍ଟ ବିଭାଗକୁ ପ୍ରଦାନ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ ସଡ଼କ ଦୁର୍ଘଟଣା ଏବଂ ମୃତାହତ ହାର ସର୍ବାଧିକ ରହୁଥିବାରୁ ଗତ କିଛି ବର୍ଷ ହେଲା ପରିବହନ ବିଭାଗ ଏବଂ ପୁଲିସ ପ୍ରଶାସନ ଜୋରସୋର୍ରେ ଧରପଗଡ଼ ଜାରି ରଖୁଛନ୍ତି। ସପ୍ତାହର ପ୍ରତି ମଙ୍ଗଳବାର ଦିନ ଶୂନ୍ୟ ସହନଶୀଳ ଦିବସ ପାଳନ ପୂର୍ବକ ଯାନବାହନ ଯାଞ୍ଚ ଓ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବା ପାଇଁ ପରିବହନ ବିଭାଗ ନିର୍ଦ୍ଦେଶ ଜାରି କରିଥିଲା। କିନ୍ତୁ ପରିସ୍ଥିତିରେ ସୁଧାର ଆସିପାରିଲା ନାହିଁ। ଏହାକୁ ନେଇ ବିଭାଗ ତର୍ଜମା ଆରମ୍ଭ କରିଥିଲା। ସପ୍ତାହର କେଉଁଦିନ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି, ତାହା ଅନୁଧ୍ୟାନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ବୁଧବାର ଦିନ ସର୍ବାଧିକ ଦୁର୍ଘଟଣା ଘଟିଛି। ତେଣୁ ମଙ୍ଗଳବାର ବଦଳରେ ବୁଧବାର ଦିନ ଶୂନ୍ୟ ସହନଶୀଳତା ଦିବସ ପାଳନ ପାଇଁ କୁହାଯାଇଛି।
ଏହି ଦିନ ପୁଲିସ ଓ ଆରଟିଓ କର୍ମଚାରୀ ଦ୍ରୁତ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା, ହେଲମେଟ୍ ଓ ସିଟ୍ବେଲ୍ଟ ବ୍ୟବହାର ନକରିବା, ଭୁଲ୍ ସାଇଡ୍ରେ ଗାଡ଼ି ଚଳାଇବା, ଗାଡ଼ି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ବିରୋଧରେ ଯାଞ୍ଚ ଅଭିଯାନ ଆରମ୍ଭ କରିବେ। ଅପରପକ୍ଷେ ରାଜ୍ୟରେ ପ୍ରାୟ ଏକ-ତୃତୀୟାଂଶ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଏବଂ ତତ୍ଜନି୍ତ ମୃତାହତ ହାର ଅଧିକ ରହୁଥିବା ଜଣାପଡ଼ିଛି। ତେଣୁ ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ ପ୍ରତିକାର ବ୍ୟବସ୍ଥା କରିବା ଲାଗି ପରିବହନ ବିଭାଗ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ପୁଲିସ ରିପୋର୍ଟ ଅନୁସାରେ, ପୂର୍ବବର୍ଷ ତୁଳନାରେ ୨୦୨୩ରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୪% ବୃଦ୍ଧି ପାଇଛି। ୨୦୨୧ ଓ ୨୦୨୨ରେ ମୃତ୍ୟୁ ହାର ଯଥାକ୍ରମେ ୭.୨% ଏବଂ ୭.୬% ରହିଥିଲା। ୨୦୨୨ରେ ୫୪୬୭ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୨୦୨୩ରେ ଏହା ୫୬୯୬କୁ ବୃଦ୍ଧି ପାଇଥିଲା। ୨୦୨୦ ଏବଂ ୨୦୨୧ରେ ଯଥାକ୍ରମେ ୪୭୩୮ ଏବଂ ୫୦୮୧ ଜଣ ପ୍ରାଣ ହରାଇଥିଲେ। ଗତବର୍ଷ କଟକ, ଢ଼େଙ୍କାନାଳ, ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର ଓ ସୋନପୁରରେ ସର୍ବାଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିଲା।