ଭୁବନେଶ୍ୱର : ବରମୁଣ୍ଡାରୁ ଚଣ୍ଡିଖୋଲ ୬୭ କିଲୋମିଟର ରାସ୍ତା ପାଇଁ ବ୍ୟୟ ଅଟକଳ କେତେ ହୋଇଥିଲା ତାହା ସମ୍ଭବତଃ ଅନେକ ଭୂଲିଯିବେଣି, ମାତ୍ର ଏହି ରାସ୍ତାରୁ ଟୋଲ ଆଦାୟ ସେହି ଦିନଠାରୁ ଚାଲିଛି । ଏହି ରାସ୍ତା ନିର୍ମାଣ ଖର୍ଚ୍ଚର କେଇ ଶହଗୁଣ ଆଦାୟ ସତ୍ତ୍ବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଙ୍ଗୁଳି ନିକଟସ୍ଥ ଟୋଲ ଗେଟ୍ ହଟାଉ ନାହିଁ। ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ନିର୍ମାଣ-ପରିଚାଳନା-ହସ୍ତାନ୍ତର (ବିଓଟି) ପ୍ରକ୍ରିୟାରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏଚଏଆଇ ଜରିଆରେ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟ ଠିକାସଂସ୍ଥାକୁ ପ୍ରଦାନ କରୁଛି। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ପରିମାଣର ପୈଠ କରାଯାଉଥିବାବେଳେ ଅବଶିଷ୍ଟ ଅର୍ଥ ଟୋଲ୍(ଟିକସ) ଆଦାୟ ଅର୍ଥରୁ ଭରଣା କରାଯିବାକୁ ସର୍ତ୍ତ ରହିଛି। ଆଦାୟ ହେଉଥିବା ଟୋଲରୁ ରାସ୍ତା ମରାମତି, ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ କରାଯିବାର ମଧ୍ୟ ସର୍ତ୍ତ ରହିଛି। ମାତ୍ର ଠିକା ସଂସ୍ଥାଗୁଡ଼ିକ ଟୋଲ୍ ଆଦାୟ କରିବା ପାଇଁ ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି, ରାସ୍ତାର ରକ୍ଷଣାବେକ୍ଷଣା କରିବାକୁ ସେତିକି ଆଗ୍ରହ ଦେଖାଉ ନାହାନ୍ତି । ବିଡ଼ମ୍ବନା ହେଉଛି ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ ସବୁଜାଣି ଚୁପ୍ ବସି ଯାଉଛନ୍ତି।
୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲଠାରୁ ବରମୁଣ୍ଡା ପ୍ରାୟ ୬୭ କିଲୋମିଟର ରାସ୍ତାରୁ ଏସ୍ଜେପିଏଲ୍ ନାମକ ସଂସ୍ଥା ଟୋଲ ଟିକସ ବାବଦରେ ଦୈନିକ ପ୍ରାୟ ୬୦ ଲକ୍ଷ ଟଙ୍କା ଆଦାୟ କରୁଛି । ମୋଟାମୋଟି ହିସାବ କଲେ ବର୍ଷକୁ ଟୋଲ ବାବଦରେ ପ୍ରାୟ ୨୨୦ କୋଟି ଟଙ୍କା ଆଦାୟ ହେଉଛି । ଏହି ରାସ୍ତା ନିର୍ମାଣ ପାଇଁ ବ୍ୟୟ ହୋଇଥିବା ହଜାରେ କୋଟି କେବେଠାରୁ ଆଦାୟ ସରିଥିଲେ ହେଁ ଟୋଲ ଟିକସ ଆଦାୟ ଏଯାଏ ଶେଷ ହେଉନାହିଁ ।
ରାସ୍ତାର ରକ୍ଷଣାବେକ୍ଷଣା ନାଁରେ ଠିକାସଂସ୍ଥା କେବଳ ରାଜପଥରେ ତାଳି ପକା କାମ କରି ଆସିଛି। ମାତ୍ର ଏହି ରାସ୍ତାରେ ଆସୁଥିବା ୧୨ଟି ଫ୍ଲାଏଓଭରର ଭିତର ପାଶ୍ୱର୍ ମରାମତି ହେଉନାହିଁ କିମ୍ବା ୧୮ଟି ଭେଇକେଲ୍ ଅଣ୍ଡର ପାସ୍(ଭିୟୁପି) ଓ ୨୫ଟି ପଶୁ ଚଳାଚଳ ରାସ୍ତା(ପିୟୁପି)ର କୌଣସି ମରାମତି କରାଯାଇଥିବାର ନଜିର ନାହିଁ। ଏମିତିକି ଫ୍ଲାଏଓଭର୍ ତଳେ ଥିବା ସର୍ଭିସ୍ ରୋଡ୍ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାପ୍ରତି ଧ୍ୟାନ ଦେଉନାହାନ୍ତି। ଫ୍ଲାଏଓଭର୍ ଉଭୟପାଶ୍ୱର୍ରେ ଥିବା ସୁରକ୍ଷା ବାଡ ଅନେକ ସ୍ଥାନରେ ଭାଙ୍ଗିଯାଇଥିବା ଦେଖାଯାଇଛି। ରାସ୍ତା ସମ୍ପର୍କରେ ପଥଚାରୀଙ୍କୁ ସୂଚନା ଦେବା ପାଇଁ ୨୩୭ଟି ସାଇନ ବୋର୍ଡ ଲଗାଇବା ନିୟମକୁ ବି ଏନ୍ଏଚ୍ଆଇ ଓ ଠିକାସଂସ୍ଥା ପାଶୋରି ଦେଲେଣି।
ଏହି ରାସ୍ତା ପାଇଁ ଜେଏସ୍ପିଏଲ୍ ଜାତୀୟ ରାଜପଥ ପ୍ରାଧିକରଣରୁ ୧୦୦୦ କୋଟି ଟଙ୍କା ପାଇଥିଲା । ଅବଶିଷ୍ଟ ଅର୍ଥ ଭରଣା ପାଇଁ ଠିକାସଂସ୍ଥା ଏନ୍ଏଚଆଇଠାରୁ ୨୬ ବର୍ଷ ଟୋଲ ଆଦାୟ ନିମନ୍ତେ କ୍ଷମତା ପାଇଛି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ଏହି ରାସ୍ତାର ଟାଙ୍ଗିସ୍ଥିତ ବନ୍ଦାଳୋଠାରେ ଥିବା ଟୋଲ ଗେଟ୍ରୁ ଦୈନିକ ହାରାହାରି ୫୭.୭୭ ଲକ୍ଷ ଟଙ୍କା ଆଦାୟ ହେଉଛି । ମୋଟାମୋଟି ହିସାବ କଲେ ବର୍ଷକୁ ଏହି ପରିମାଣ ୨୧୦ କୋଟି ଟଙ୍କାରୁ ଅଧିକ । ଆଗକୁ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ସହ ଟୋଲ ଟିକସ ଆଦାୟ ପରିମାଣ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ମାତ୍ର ରାସ୍ତା ନିର୍ମାଣ ଖର୍ଚ୍ଚ ସହ ସୁଧ ଆଦି ଭରଣା ପରେ ବି ଏହି ରାସ୍ତାରେ ଯାତାୟତ କରୁଥିବା ଗାଡ଼ିମୋଟରକୁ ୨୬ ବର୍ଷ ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବା ଆପାତତଃ ସ୍ପଷ୍ଟ। ଯାହାକୁ ନେଇ ସାଧାରଣ ଲୋକ ଓ ସଚେତନ ନାଗରିକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ରାସ୍ତାର ଆବଶ୍ୟକ ରକ୍ଷଣାବେକ୍ଷଣା କରିବାରେ ଅବହେଳାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଏନ୍ଏଚ୍ଏଆଇର ଓଡ଼ିଶା ମୁଖ୍ୟ ବୀରେନ୍ଦ୍ର ସିଂହଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନାହିଁ ।