ମାଲକାନଗିରି ହିଂସାକାଣ୍ଡ ଘଟଣାକୁ ନେଇ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କଲା ବିଜେଡ଼ି

ମାଲକାନଗିରିରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା

ଭୁବନେଶ୍ବର: ମାଲକାନଗିରି ଘଟଣାକୁ ନେଇ ବିଜେଡି ଆଜି ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ (Fact-Finding Team) ଗଠନ କରିଛି। ଯେଉଁଥିରେ ଦଳର ସଭାପତି  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ପରିଦର୍ଶନ କରିବାକୁ କୁହାଯାଇଛି। ସେଠାରେ ଏକ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହି ଚାଞ୍ଚଲ୍ୟକର ଘଟଣା ପରେ  ୫୦ରୁ ଅଧିକ ଘରେ ନିଆଁ ଲଗାଇ ଦିଆଯାଇଥିଲା। ୧୬୦ରୁ ଅଧିକ ଘର ଭାଙ୍ଗି ଦିଆଯାଇଛି। ଯାହା ଶତାଧିକ ପରିବାରକୁ ଘର ଛାଡ଼ି ନିକଟସ୍ଥ ଗ୍ରାମରେ ଆଶ୍ରୟ ନେବାକୁ ବାଧ୍ୟ କରିଛି ବୋଲି ଜଣାପଡ଼ିଛି।

ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ ମାନସ ମାଡକାମି (ସଂଯୋଜକ ଭାବରେ), ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ଈଶ୍ୱର ପାଣିଗ୍ରାହୀ, ଏବଂ ଚିତ୍ରକୋଣ୍ଡାର ବିଧାୟକ ପ୍ରାର୍ଥୀ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ସାମିଲ ଅଛନ୍ତି। ଏହି ଦଳକୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ବାସ୍ତବ ପରିସ୍ଥିତିର ଆକଳନ କରିବା ପରେ ଦଳୀୟ ସଭାପତିଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାର ଦାୟିତ୍ୱ ଦିଆଯାଇଛି।

ବିଜୁ ଜନତା ଦଳ ଏହି ହିଂସାକାଣ୍ଡ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି। ପ୍ରଶାସନକୁ ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ କହିଛି। ଏହା ସହ ପ୍ରଭାବିତ ପରିବାରର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଅପରାଧୀମାନଙ୍କୁ ଦଣ୍ଡିତ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛି।

About The Author: Deviprasad Mohanty