ଭୁବନେଶ୍ୱର : ୨୦୨୭ ସୁଦ୍ଧା ଦେଶକୁ ମ୍ୟାଲେରିଆ ମୁକ୍ତ କରାଯିବାକୁ କେନ୍ଦ୍ର ସରକାର କରିଥିବା ଘୋଷଣା ୨୦୩୦କୁ ଘୁଞ୍ଚାଇଛନ୍ତି। ମାତ୍ର ବର୍ତ୍ତମାନ ପୂର୍ବ, ଉତ୍ତରପୂର୍ବ ଓ ଦକ୍ଷିଣଭାରତରେ ମ୍ୟାଲେରିଆର ସ୍ଥିତିକୁ ଦେଖିଲେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ କେବେ ପୂରଣ ହେବ ତାହା କହି ହେଉ ନାହିଁ। ବିଡ଼ମ୍ବନା ହେଉଛି ଓଡ଼ିଶା ପରି ରାଜ୍ୟରେ ‘ଦମନ’ ଭଳି ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଏବେ ବାଟବଣା ହେବା ଯୋଗୁଁ ଦୀର୍ଘଦିନ ଧରି ନିମ୍ନଗାମୀ ହୋଇ ଚାଲିଥିବା ଗ୍ରାଫ୍ ଏବେ ପୁଣି ଉପରମୁହାଁ ହେବାରେ ଲାଗିଛି। ବିଶେଷକରି ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡ଼ିକରେ ମ୍ୟାଲେରିଆ ଚିହ୍ନଟ ପ୍ରତି ବର୍ଷ ରେକର୍ଡ ଭାଙ୍ଗୁଛି।
କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଆଦି ଜିଲ୍ଲାରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଭିବିଡିସିପି) ତଥ୍ୟ ଅନୁସାରେ ଗତ ୩ ବର୍ଷ ହେଲା ରାଜ୍ୟରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବ ସରକାର କାର୍ଯ୍ୟକାରୀ କରୁଥିବା ‘ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ’ (ଦମନ) ଯୋଜନା ଏବେ ଆପାତତଃ ମୃତପ୍ରାୟ। ଫଳରେ ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟକୁ ମ୍ୟାଲେରିଆ ମୃତ୍ୟରେ ଓଡ଼ିଶା ପଛରେ ପକାଇ ଦେଇଛି। ୨୦୨୪ ମସିହାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଢ଼ କୋଟି ଔଷଧୀୟ ମଶାରି ମାଗିଥିଲେ। ମାତ୍ର ସେହି ମଶାରି ଆସିଲା କି ନାହିଁ, ବଣ୍ଟନ ହେଲା କି ନାହିଁ ତାହାର ସଠିକ୍ ସୂଚନା ଜନସ୍ୱାସ୍ଥ୍ୟ ବିଭାଗରେ ଉପଲବ୍ଧ ନାହିଁ।
ମ୍ୟାଲେରିଆ ଜ୍ୱରର ଭୟାବହତାକୁ ରୋକିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ବିନାମୂଲ୍ୟରେ ଔଷଧ ବୋଳା ମଶାରି ବଣ୍ଟନ କରାଯାଉଥିଲା। ଏହାର ଔଷଧୀୟ ଗୁଣ ସ୍ୱରୂପ ଏହି ମଶାରିରେ ମଶା ବସି ପାରୁ ନ ଥିଲେ। ଫଳରେ ମ୍ୟାଲେରିଆ ରୋକିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଥିଲା। ଏଥିସହ ମଶା ବଂଶ ବୃଦ୍ଧି ରୋକିବାରେ ଦିଗରେ ସରକାରୀ ଭାବେ ବ୍ୟାପକ ଜନସେତନତା ସୃଷ୍ଟି କରାଯାଉଥିଲା। ମାତ୍ର ଗତ ଦୁଇ ବର୍ଷ ଧରି ଏସବୁ ଶିଥିଳ ପଡ଼ିଯାଇଥିବା ଅଭିଯୋଗ ହେଉଛି। ସେହିଭଳି ଲୋକମାନଙ୍କୁ ମଶାରୀ ବଣ୍ଟନ କରାଯିବା ପରେ ସେମାନେ ତାକୁ ବ୍ୟବହାର କରୁଛନ୍ତି ନା ନାହିଁ, ତାର ନୀରିକ୍ଷଣ ଆଶା ଓ ଅଙ୍ଗନବାଡି କର୍ମୀମାନେ କରୁଥିଲେ। ଲୋକମାନେ ଘରେ ପୁରୁଣା ଚିରା ଫଟା ମଶାରୀ ବ୍ୟବହାର କରୁଥିବାବେଳେ ନୂଆ ମଶାରୀକୁ କ୍ଷେତ ଘେରାଇବା, ମାଛ ମାରିବା ଭଳି କାମରେ ବ୍ୟବହାର କରୁଥିଲେ। ତେଣୁ ଏହାକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗର କ୍ଷେତ୍ରୀୟସ୍ତରରେ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଲଗାଯାଇଥିଲା। ହେଲେ ଏସବୁ ଏବେ ବାଟବଣା ହୋଇଥିବା କୁହାଯାଉଛି ।
ଖୋଦ୍ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ଓଡ଼ିଶାରେ ମ୍ୟାଲେରିଆ ଭୟାଭୟସ୍ଥିତିକୁ ସ୍ୱୀକାର କରିଛନ୍ତି। ସେ ଆହୁରି କହିଛନ୍ତି, ନିୟନ୍ତ୍ରଣ କରିବାକୁ ସରକାରୀ ଭାବେ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ସମଗ୍ର ଦେଶରେ ଓଡ଼ିଶା ଏକ ମ୍ୟାଲେରିଆ ପ୍ରବଣ ରାଜ୍ୟ ହୋଇଥିବାରୁ ଏଠି ‘ଦମନ’ ଭଳି କାର୍ଯ୍ୟକ୍ରମ ଜାରି ରହିଛି। ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ଔଷଧୀୟ ମଶାରୀ ବଣ୍ଟନ ହେଉଛି। ହେଲେ ଲୋକ ନୂଆ ବଦଳରେ ପୁରୁଣା ମଶାରୀ ବ୍ୟବହାର କରୁଛନ୍ତି। ମ୍ୟାଲେରିଆ ପ୍ରବଣ ଛତିଶଗଡ଼ ଓ ଝାଡ଼ଖଣ୍ଡ ଅପେକ୍ଷା ଆମ ରାଜ୍ୟରେ ଅଧିକ ମ୍ୟାଲେରିଆ ରୋଗୀ ଥିବା ପ୍ରସଙ୍ଗରେ ସେ କହିଛନ୍ତି, ସବୁ ରାଜ୍ୟରେ ଭୌଗଳିକସ୍ଥିତି ଭିନ୍ନ। କେଉଁ ରାଜ୍ୟ ସହ ଆମ ରାଜ୍ୟକୁ ତୁଳନା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି।