ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେଲା ବଡ଼ ମହାସ୍ନାନ । ରବିବାର ଭିତରକାଠ ନିକଟରେ ଛେପ ପଡିବାରୁ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି । ଏହି ସମୟରେ ପ୍ରାୟ ୧ ଘଣ୍ଟା ପାଇଁ ମାହପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଛି । ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ।
ସୂଚନା ଅନୁସାରେ, ଆଜି ଭୋର ୪ଟା ୩୫ ମିନିଟ ସମୟରେ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ସମ୍ପର୍ଣ୍ଣ ହୋଇଥିଲା l ମଙ୍ଗଳ ଆଳତୀ ପରେ ମଇଲମ ନୀତି ଚାଲିଥିବା ବେଳେ, ଜଣେ ବୃଦ୍ଧା ଜୟ ବିଜୟ ଦ୍ୱାର ନିକଟରେ ଛେପ ପକାଇବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଯାହାଫଳରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ନୀତି ପାଇଁ ୧ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ବିଳମ୍ବ ହୋଇଅଛି । ମହାସ୍ନାନ ପରେ ଜୟ ବିଜୟ ଦ୍ୱାର ଠାରେ ଶୋଧ ହୋଇ ଚୂନ ପଡିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ । ଏହାପରେ ଭକ୍ତମାନେ ଶ୍ରୀଜୀୟୁଙ୍କ ଦର୍ଶନର ସାନିଧ୍ୟ୍ୟ ଲାଭ କରିପାରିବେ ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ ।