ମହାନଦୀରେ ବନ୍ୟା ଆଶଙ୍କା: ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ କ୍ୟୁସେକ ଛୁଇଁବ ଜଳସ୍ତର

ଭୁବନେଶ୍ୱର: ମହାନଦୀ ବନ୍ୟା ସ୍ଥିତି ଉପରେ ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରାୟ ୮ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତ କହିଛନ୍ତି ଯେ, ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀରେ ୭,୮୩,୦୦୦ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା। ତେବେ ଆଶ୍ୱସ୍ତିକର ବିଷୟ ହେଉଛି, ଆଜି ସନ୍ଧ୍ୟା ପରେ ମହାନଦୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ କେବଳ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ବୈତରଣୀ ଏବଂ ସାଳନ୍ଦୀ ନଦୀର ଜଳସ୍ତର ଯଥେଷ୍ଟ ହ୍ରାସ ପାଇଛି। ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ କୌଣସି ବନ୍ୟା ଆଶଙ୍କା ନାହିଁ। ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ତଳମୁହାଁ ହୋଇଛି।

ମହାନଦୀରେ ଆସୁଥିବା ଏହି ବନ୍ୟା ଯୋଗୁଁ ମୁଖ୍ୟତଃ କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ଓ ଚାଷଜମି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାବ୍ୟତୀତ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଏବଂ ଗରଦପୁର ବ୍ଲକର କିଛି ତଳିଆ ଅଞ୍ଚଳରେ ମଧ୍ୟ ଆଂଶିକ ପ୍ରଭାବ ପଡ଼ିପାରେ। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରଖାଯିବା ସହ ନଦୀବନ୍ଧଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ରିଲିଫ ବ୍ୟବସ୍ଥାକୁ ପ୍ରସ୍ତୁତ ରଖାଯାଇଛି।

About The Author: Madhusudan Das