ଭୁବନେଶ୍ୱର: ରାଜଧାନୀର ଦିନକୁ ଦିନ ବିଳାଶପୂର୍ଣ୍ଣ ହୋଟେଲ ଖୋଲିଚାଲିଛି। ଏହି ହୋଟେଲ ଗୁଡ଼ିକର ନିର୍ମାଣଶୈଳୀ ଯେତେ ଚାକଚକ୍ୟ ପାର୍କିଂ ବ୍ୟବସ୍ଥା ସେତିକି ଅବ୍ୟବସ୍ଥିତ। ଅଧିକାଂଶ ହୋଟେଲର ପାର୍କିଂ ବ୍ୟବସ୍ଥା ବୋଲି କିଛି ନାହିଁ। ଯାହା କିଛି ରହିଛି ତାହା ପର୍ଯ୍ୟାପ୍ତ ନୁହେଁ। ଏପରି କିଛି ହୋଟେଲ ଏହି ଦୁଇରୁ ୩ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିଲେ ମଧ୍ୟ ଆଦୌ ପାର୍କିଂ ବ୍ୟବସ୍ଥା ନାହିଁ। ଏହି ହୋଟେଲଗୁଡ଼ିକ ପାର୍କିିଂ ସମ୍ପୂର୍ଣ୍ଣ ଭାବେ ରାସ୍ତା କିମ୍ବା ଡ୍ରେନ୍ ଉପରେ ନିର୍ଭର କରୁଛନ୍ତି। ବେଆଇନ୍ ପାର୍କିଂକୁ ନେଇ ସ୍ଥାନୀୟ ଲୋକେ କିମ୍ବା ଗଣମାଧ୍ୟମ ଅଧିକ ହୋ ହଳ୍ଲା କଲେ ମଧ୍ୟ କେହି ଶୁଣୁ ନାହାନ୍ତି। କିମ୍ବା ଯେନତେନ ଉପାୟରେ ସହରାଞ୍ଚଳ ପ୍ରଶାସନ ଠାରୁ ଭିନ୍ନ ଭିନ୍ନ ତଥା ପାର୍କିଂ ଲାଇସେନ୍ସ ଆହରଣ କରି କାମ ଚଳାଇ ଦିଆଯାଉଥିବା ଅଭିଯୋଗ ହେଉଛି।
ହୋଟେଲ ନିର୍ମାଣ ପୂର୍ବରୁ କୌଣସି ବିଲ୍ଡିଂର ପ୍ଲାନ୍ ଆପ୍ରୁଭାଲ ନିହାତି ଆବଶ୍ୟକ। ଏଥିରେ ପାର୍କିଂ ନିୟମ ପାଳନ କରିବା ଅପରିହାର୍ଯ୍ୟ। ହେଲେ ଏହି ହୋଟେଲଗୁଡ଼ିକ କିନ୍ତୁ ପାର୍କିଂ ନିୟମକୁ ଅଣଦେଖା କରି ନିର୍ମାଣ କରି ଚାଲୁଛନ୍ତି। କିଛି ସ୍ଥାନରେ ବିଡିଏ କିମ୍ବା ବିଏମ୍ସି ଏଥିପ୍ରତି ଅଖି ବୁଜି ଦେଉଛନ୍ତି। ଆଉ କିଛିସ୍ଥାନରେ ସେମାନେ ମୋଟେ ଆପ୍ରୁଭାଲ ନ ନେଇ ବ୍ୟବସାୟ ଚଳାଉଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ହୋଟେଲଗୁଡ଼ିକର ନିର୍ମାଣ ବେଳେ ଏହାର ମାଲିକ କିମ୍ବା ପ୍ଲାନିଂ ଦେଉଥିବା ଆର୍କିଟେକ୍ମାନଙ୍କୁ ହୋଟେଲରେ ହେବାକୁ ଥିବା ଭିଡ଼ ସମ୍ପର୍କରେ କଣ ପୂର୍ବାନୁମାନ ନ ଥିଲା। ନା ବିଳାଶପୂର୍ଣ୍ଣ ହୋଟଲଗୁଡ଼ିକ ପ୍ରତି ପ୍ରଶାସନ ସବୁ ସମୟରେ କୋହଳ ବୋଲି ଭାବି ଏମାନେ ମନମୁଖି ଭାବେ କାମ କରୁଛନ୍ତି। ହୋଟେଲଗୁଡ଼ିକରେ ନିୟମିତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ, କନ୍କ୍ଲେଭ୍ କିମ୍ବା ସରକାରୀ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ହୋଟେଲକୁ ନିୟମିତ ଭାବେ ମନ୍ତ୍ରୀ, ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଡିଏ କିମ୍ବା ବିଏମ୍ସି କର୍ମଚାରୀ ଯାଉଛନ୍ତି। ସିଧାସଳଖ ହୋଟେଲକୁ ଆସୁଥିବା ଗାଡ଼ି ରାସ୍ତାରେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି। ପ୍ରାଶାସନିକ ଅଧିକାରୀମାନେ ନିଜେ ମଧ୍ୟ ରାସ୍ତାରେ ପାର୍କିଂ କରି ହୋଟେଲ ଭିତରକୁ ପ୍ରବେଶ କରୁଛନ୍ତି।
ରାଜଧାନୀରେ ହୋଟେଲଗୁଡ଼ିକ ଦ୍ୱାରା ରାସ୍ତାକଡ଼ରେ ବେଆଇନ୍ ପାର୍କିଂ ଏକ ଟ୍ରେଣ୍ଡ୍ ପାଲଟିଗଲାଣି। ବିଏମ୍ସି ପକ୍ଷରୁ ଏମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିୟମ ପ୍ରସ୍ତୁତ କରାଯାଇ ରାସ୍ତାରେ ପାର୍କିଂ ଅନୁମତି ଦିଆଯାଉଛି। ଗତ ୨ବର୍ଷ ମଧ୍ୟରେ ରସୁଲଗଡ଼ ଛକରେ ମଧ୍ୟମ ଧରଣର ଦୁଇଟି ନୂତନ ହୋଟେଲ ଖୋଲିଲା। କାହାର ଜଣଙ୍କର ମଧ୍ୟ ପାର୍କିଂ ବ୍ୟବସ୍ଥା ନାହିଁ। ଏମାନେ ରାସ୍ତାକୁ କବ୍ଜା କରି ବେଆଇନ୍ ଭାବେ ପାର୍କି କରିଚାଲିଛନ୍ତି। କେବଳ ରସୁଲଗଡ଼ ନୁହେଁ ରାଜଧାନୀର ହାତଗଣତି କିଛି ହୋଟେଲକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଳାସପୂର୍ଣ୍ଣ ହୋଟେଲର ଗାଡ଼ି ରାସ୍ତା ଉପରେ ପାର୍କିଂ ହେଉଛି। ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ପଥଚାରୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି।