ଭୁବନେଶ୍ୱର : ଆସନ୍ତା ୪ ଜୁଲାଇ ବେଳକୁ ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହି ଲଘୁଚାପଟି ସ୍ଥଳଭାଗରେ ସୃଷ୍ଟି ହେବାକୁ ଥିବାରୁ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗର ମଧ୍ୟରେ ସୃଷ୍ଟି ହେଉଥିବା ଲଘୁଚାପ ସାରା ରାଜ୍ୟରେ ଭଲ ବର୍ଷା କରାଇବାକୁ ସକ୍ଷମ ହେଉଥିବା ବେଳେ ସମ୍ଭାବ୍ୟ ଲଘୁଚାପ କେବଳ ଉତ୍ତର ଓଡ଼ିଶାରେ ହିଁ ବର୍ଷା କରାଇବାରେ ସକ୍ଷମ ଏଥିପାଇଁ। ତେବେ ଏହି ଲଘୁଚାପ ପାଇଁ ୪ ତାରିଖରେ ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଖୋର୍ଦ୍ଧା ଓ କଟକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୫ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଅନ୍ୟପଟେ ଚଳିତ ଜୁଲାଇ ମାସରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍ ହେବା ସହିତ ତାପମାତ୍ରା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ବିଭାଗ ପକ୍ଷରୁ ଜୁଲାଇ ମାସର ମୌସୁମୀ ସ୍ଥିତି ସମ୍ପର୍କରେ ଆକଳନ କରାଯାଇ କୁହାଯାଇଛି। ଚଳିତ ମାସରେ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଜୁନ୍ ମାସରେ ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରିନି। ଜୁଲାଇରେ ସମାନ ସ୍ଥିତି ସୃଷ୍ଟି ହେଲେ ଚାଷକାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବାର ଆସଙ୍କା ସୃଷ୍ଟି ହୋଇଛି। ବର୍ଷା କମିବା ସହିତ ରାଜ୍ୟରେ ଚଳିତ ମାସ ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିବ।
ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବାକୁ ଥିବା ବେଳେ କୋରାପୁଟରୁ ସୁନ୍ଦରଗଡ଼ ପର୍ଯ୍ୟନ୍ତ ତାପମାତ୍ରାର ଅଧିକ ପ୍ରକୋପ ରହିବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଢେଙ୍କାନାଳରେ ସର୍ବାଧିକ ୨୭ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୨୩ ଓ କୋରାପୁଟରେ ୧୧ ମିମି ବର୍ଷା ରେକର୍ଡ କରାଯାଇଛି। ଶନିବାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଆଦିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।