ଭୁବନେଶ୍ୱର: ପଡ଼ିଲା ହାତ ଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଲେ ଏକାମ୍ରଧିପତି ମହାପ୍ରଭୁ ଶ୍ରୀ ଲିଙ୍ଗରାଜ । ସମସ୍ତ ନୀତିକାନ୍ତି ସହ କେଦାରଗୌରୀ ମନ୍ଦିରରେ ଭୋରରୁ ସମ୍ପନ୍ନ ହୋଇଥିଲା ବାବା ଲିଙ୍ଗରାଜ ଓ ମାତା ପାର୍ବତୀଙ୍କ ବିବାହ । ବିବାହ ସମ୍ପନ୍ନ ହେବା ପରେ ଆଜି ସପ୍ତମୀ ତିଥିରେ ଏକତ୍ର ଦର୍ଶନ ଦେଉଛନ୍ତି ବାବା ଲିଙ୍ଗରାଜ ଓ ମାତା ପାର୍ବତୀ । ଯାହାକୁ ଯୁଗଳବନ୍ଦୀ ଦର୍ଶନ କୁହାଯାଉଛି । ନବ ଦମ୍ପତିଙ୍କୁ ଏକତ୍ର ଦର୍ଶନ କରିବାକୁ ସକାଳୁ ସକାଳୁ ମନ୍ଦିରରେ ଲାଗିଛି ଭିଡ଼ । ବିଶ୍ଵାସ ରହିଛି ଯୁଗଳବନ୍ଦୀ ଦର୍ଶନ କରିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
ଆଜି ଶୀତଳ ଷଷ୍ଠୀ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ୬୧ ପ୍ରକାର ପାରମ୍ପରିକ ବାଜରେ କମ୍ପିବ ପୁରୁଣା ଭୁବନେଶ୍ଵର । ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି । ବିଳମ୍ବିତ ରାତିରେ ଆରମ୍ଭ ହେବ ଶୀତଳଷଷ୍ଠୀ ଶୋଭାଯାତ୍ରା ।
ଗତକାଲି ମଧ୍ୟରାତ୍ର ପ୍ରାୟ ୧୨ ଟା ସମୟରେ ବାହାରିଥିଲା ପ୍ରଭୁ ଲିଙ୍ଗରାଜଙ୍କ ବରଯାତ୍ରୀ । ରାତି ୧ଟା ୪୦ରେ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ । ଯେଉଁଥିରେ ସାମିଲ ହୋଇଥିଲେ ଶହ ଶହ ଶ୍ରଦ୍ଧାଳୁ । ଭୋର ୫ଟା ୨୦ରେ ପଡ଼ିଥିଲା ହାତଗଣ୍ଠି ।