ଭୁବନେଶ୍ୱର: 'କୋଟିଆ' ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଯିବା ନେଇ ବଢୁଥିବା ଉତ୍ତେଜନା ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଟିଆ ଅଞ୍ଚଳରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବା ଖବର ମିଳୁଛି। ବିଶେଷ କରି ଆନ୍ଧ୍ରପ୍ରଦେଶ ସେଠାରେ ନିର୍ବାଚନ କରିବା ପାଇଁ ଯେଉଁ ପଦକ୍ଷେପ ନେଉଛି, ତାହା ଓଡ଼ିଶାର ସ୍ୱାର୍ଥ ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ସେ ଚେତାଇ ଦେଇଛନ୍ତି।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟରେ ବିଜେପି ନେତୃତ୍ୱାଧୀନ NDA ସରକାର ରହିଥିବାରୁ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି।
୨୦୨୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ମନେ ପକାଇ ଦେଇ ନବୀନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ଆପଣଙ୍କ ନୈତିକ ଦାୟିତ୍ୱ। ତେଣୁ ଓଡ଼ିଶାର ଅଖଣ୍ଡତା ଓ ସୀମା ସୁରକ୍ଷା ପାଇଁ ରାଜ୍ୟ ସରକାର ଆଉ ବିଳମ୍ବ ନକରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଏଥିସହ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରି ଆନ୍ଧ୍ରପ୍ରଦେଶ କୋଟିଆ ଅଞ୍ଚଳରେ ଜବରଦସ୍ତ ନିର୍ବାଚନ କରୁଥିବା ନେଇ ମଧ୍ୟ ନବୀନ ଉଦ୍ବେଗ ପ୍ରକାଶ କରିଛନ୍ତି।