ଜୁନ୍‍, ଜୁଲାଇରେ ନିଅଣ୍ଟିଆ ବର୍ଷା : ମୌସୁମୀ ଉଭାନ

ଭୁବନେଶ୍ୱର : ଅକ୍ଷୟ ତୃତୀୟାରେ ଖେତରେ ଅଖି ମୁଠି ଅନୁକୂଳ କରି ଭଲ ଅମଳର ଆଶା ରଖିଥିଲା ଚାଷୀ। ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ମଧ୍ୟ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ପ୍ରାକ୍‍ ମୌସୁମୀ ବର୍ଷା ଓ ପ୍ରାରମ୍ଭିକ ମୌସୁମୀ ବର୍ଷାର ଆଭାସରୁ ଚଳିତ ଖରିଫ ଋତୁରେ ଚାଷ ଭଲ ହେବ ବୋଲି ଆକଳନ କରାଯାଉଥିଲା। ହେଲେ ଗତ ଜୁନ୍‍ ଓ ଚଳିତ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଚାଷୀଙ୍କ ମନୋବଳ ଭାଙ୍ଗିଦେଇଛି। […]

ଭୁବନେଶ୍ୱର : ଅକ୍ଷୟ ତୃତୀୟାରେ ଖେତରେ ଅଖି ମୁଠି ଅନୁକୂଳ କରି ଭଲ ଅମଳର ଆଶା ରଖିଥିଲା ଚାଷୀ। ଚଳିତବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବ ବୋଲି ମଧ୍ୟ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ପ୍ରାକ୍‍ ମୌସୁମୀ ବର୍ଷା ଓ ପ୍ରାରମ୍ଭିକ ମୌସୁମୀ ବର୍ଷାର ଆଭାସରୁ ଚଳିତ ଖରିଫ ଋତୁରେ ଚାଷ ଭଲ ହେବ ବୋଲି ଆକଳନ କରାଯାଉଥିଲା। ହେଲେ ଗତ ଜୁନ୍‍ ଓ ଚଳିତ ଜୁଲାଇ ମାସର ନିଅଣ୍ଟିଆ ବର୍ଷା ଚାଷୀଙ୍କ ମନୋବଳ ଭାଙ୍ଗିଦେଇଛି। ଜଳାଭାବରୁ ଖେତ ଫାଟି ଆଁ କଲାଣି। ଧାନତଳି ଶୁଖି ଜଳିଯିବାକୁ ବସିଲାଣି। ଏପଟେ ସରକାରୀ ଧାନ ବିହନ ଠିକ୍‍ ଭାବେ ଗଜା ହେଉ ନ ଥିବା ଏବଂ ପର୍ଯ୍ୟାପ୍ତ ପରିମାଣର ସାର ମିଳୁ ନ ଥିବା ନେଇ ଚାଷୀମାନେ ଅଭିଯୋଗ କରୁଛନ୍ତି। ଅନ୍ୟପଟରେ ରାଜ୍ୟରେ ଥିବା ଜଳଭଣ୍ଡାର, ଉଠା ଜଳସେଚନ ପଏଣ୍ଟ ଭଳି କୃତ୍ରିମ ଜଳ ଉତ୍ସଗୁଡ଼ିକର ସାମ୍ପ୍ରତିକ ଅବସ୍ଥା ଯାହା ରହିଛି, ସେଥିରୁ ଧାନ ଖେତରେ ବର୍ଷାଭାବ ପୂରଣ କରିବା ଭଳି ଆଶା ମଧ୍ୟ ଦେଖାଯାଉନାହିଁ।

ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ସାର, ବିହନ ଯୋଗାଣରେ ଅବ୍ୟବସ୍ଥା କାରଣରୁ ଚଳିତବର୍ଷ ଚାଷ କାର୍ଯ୍ୟ ଏବଂ ଧାନ ଅମଳ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଛି। ସଅଳ ବେଉଷଣ କରିବା ଲକ୍ଷ୍ୟରେ ପକାଯାଇଥିବା ଖରଡ଼ି ତଳି ଆବଶ୍ୟକ ପରିମାଣର ବର୍ଷା ଅଭାବରୁ ଠିକ୍‍ ଭାବେ ଉତୁରି ପାରି ନଥିବାବେଳେ ଗତ ୪/୫ ଦିନର ପାଗ ଏପରି ହୋଇଛି ଯେ ଶ୍ରାବଣ ମାସରେ ଗ୍ରୀଷ୍ମ ଋତୁର ଭ୍ରମ ସୃଷ୍ଟି ହେଉଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଗତ ଜୁନ୍‍ ମାସରେ ରାଜ୍ୟରେ ୪୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ଜୁଲାଇ ମାସରେ ରାଜ୍ୟର ୪ଟି ଜିଲ୍ଲା ନିଅଣ୍ଟିଆ ବର୍ଷାର ଶିକାର ହୋଇଛି। ଗତ ୨୯ ତାରିଖ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ୩୮ ପ୍ରତିଶତ, ସମ୍ବଲପୁର ଜିଲ୍ଲାରେ ୨୬ ପ୍ରତିଶତ, ଭଦ୍ରକ ଜିଲ୍ଲାରେ ୨୧ ପ୍ରତିଶତ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୨୦ ପ୍ରତିଶତ କମ୍‍ ବର୍ଷା ହୋଇଛି।

ତେବେ ଜୁଲାଇ ମାସର ଦ୍ୱିତୀୟ ସପ୍ତାହ ମଧ୍ୟରେ ହୋଇଥିବା ବର୍ଷା ଜୁନ୍‍ ମାସର ନିଅଣ୍ଟିଆ ପରିମାଣକୁ ଭରଣା କରିପାରିଥିଲା। କିନ୍ତୁ ଜୁଲାଇ ମାସର ଶେଷ ସପ୍ତାହରେ ରାଜ୍ୟରୁ ମୌସୁମୀ ଉଭାନ୍‍ ହୋଇଯାଇଛି। ଗତ ୪/୫ ଦିନ ହେବ ରାଜ୍ୟରେ କାଁ ଭାଁ ବର୍ଷା ହୋଇଛି। ଫଳରେ ଜୁଲାଇ ୨୯ତାରିଖ ସୁଦ୍ଧା ସ୍ୱାଭାବିକ ଠାରୁ ୬ ପ୍ରତିଶତ ବର୍ଷା କମିଯାଇଥିବା ରେକର୍ଡ଼ କରାଯାଇଛି। ରୁଆପୋତା କରିବା ପାଇଁ ଜୁଲାଇ ମାସରେ ଧାନଖେତ ଅଧିକ ଜଳ ଆବଶ୍ୟକ କରୁଥିବା ବେଳେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଆସନ୍ତା ୬ ତାରିଖର ସମ୍ଭାବ୍ୟ ଲଘୁଚାପ ବର୍ଷାଭାବ ପୂରଣ କରିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶା କରୁଛନ୍ତି। ଏହି ସମ୍ଭାବ୍ୟ ଲଘୁଚାପ ଯଦି ଭଲ ବର୍ଷା ନ କରାଏ, ତା’ହେଲେ ବିକଳ୍ପ ଜଳ ଉତ୍ସରୁ କୃଷି ଖେତକୁ ଜଳ ଯୋଗାଣର ଜରୁରୀ ଆବଶ୍ୟକ ହୋଇପଡ଼ିବ।

ଗତ ସପ୍ତାହର ବର୍ଷାରେ ପୂରିଉଠିଥିବା ନଦୀ, ନାଳ ଓ ଜଳଭଣ୍ଡାରଗୁଡ଼ିକର ଜଳପତ୍ତନ କ୍ରମଶଃ ନିମ୍ନଗାମୀ ହେବାରେ ଲାଗିଲାଣି। ମିଳିଥିବା ସୂଚନା ଅନୁସାରେ, ଶନିବାର ଅପରାହ୍ଣ ସୁଦ୍ଧା ରାଜ୍ୟର ସର୍ବବୃହତ ଜଳଭଣ୍ଡାର ହୀରାକୁଦରେ ଜଳସ୍ତର ୬୦୮.୪ ଫୁଟ(୨୧.୭ଫୁଟ୍‍ କମ୍‍) ରହିଥିବାବେଳେ ରେଙ୍ଗାଳିରେ ୧୧୧.୧ ମିଟର(୧୨.୪ ମିଟର କମ୍‍), ଇନ୍ଦ୍ରାବତୀରେ ୬୩୩.୧ ମିଟର(୮.୯ ମିଟର), ଅପର କୋଲାବରେ ୮୪୭.୯ମିଟର(୧୦.୧ ମିଟର କମ୍‍) ଏବଂ ବାଲିମେଳାରେ ୧୪୫୫.୫ ଫୁଟ (୬୦.୫ ଫୁଟ କମ୍‍) ଜଳ ମହଜୁଦ ରହିଛି। ସମ୍ପ୍ରତି ପ୍ରାୟ ସବୁ ଜଳଭଣ୍ଡାରରେ ଜଳସ୍ତର ସର୍ବୋଚ୍ଚ ସୀମା ଠାରୁ କମ୍‍ ରହିଛି। ଯଦି ଆଗକୁ ବର୍ଷାର ପରିମାଣ କମିଯାଏ, ତେବେ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ କୃଷି କ୍ଷେତ୍ରକୁ ପର୍ଯ୍ୟାପ୍ତ ଜଳ ଯୋଗାଇବା ମଧ୍ୟ କଷ୍ଟକର ହୋଇପଡ଼ିବ।

ଅନ୍ୟପକ୍ଷରେ ରାଜ୍ୟରେ ଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଉଠା ଜଳସେଚନ ପଏଣ୍ଟଗୁଡ଼ିକ ମଧ୍ୟ କୃଷି କ୍ଷେତ୍ରକୁ ଆବଶ୍ୟକ ପରିମାଣରେ ଜଳ ଯୋଗାଇ ପାରିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁସାରେ ରାଜ୍ୟରେ ଅନେକ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ସମ୍ପ୍ରତି ରାଜ୍ୟରେ ୧୬୫ଟି କ୍ଷୁଦ୍ର ଜଳସେଚନ ପଏଣ୍ଟ ଏବଂ ୧୫ ହଜାର ୨୧୨ଟି ଉଠା ଜଳସେଚନ ପଏଣ୍ଟ ନିର୍ମାଣାଧୀନ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେଣୁ ଚଳିତ ଖରିଫ ଋତୁରେ ଏହିସବୁ ଜଳସେଚନ ଉତ୍ସରୁ କୃଷି କ୍ଷେତ୍ରକୁ ଜଳ ଯୋଗାଇବା ମଧ୍ୟ ସମ୍ଭବପର ନୁହେଁ। ଏହି ପରିସ୍ଥିତିରେ ଆସନ୍ତା ଅଗଷ୍ଟ ମାସରେ ଯଦି ମୌସୁମୀ ବର୍ଷା ପର୍ଯ୍ୟାପ୍ତ ପରିମାଣରେ ନ ହୁଏ, ତେବେ ଖରିଫ ଚାଷ ଗୁରୁତର ଭାବେ ପ୍ରଭାବିତ ହେବା ନିଶ୍ଚିତ ହୋଇପଡ଼ିବ।

About The Author: The Sakala