ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ ଆଲୋଚନା କରିଛନ୍ତି । ଉଭୟ ସଂଘ ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଜିଲ୍ଲାରେ ବସ ଚଳାଚଳରେ ବ୍ୟାଘାତ ଘଟିଥିଲା ଓ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉଭୟ ସଂଘ ମଧ୍ୟରେ ଆଲୋଚନା ଓ ବୁଝାମଣା ଫଳରେ ଏବେ କୋରାପୁଟ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଛି ।ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରିବହନ ବିଭାଗ, ଉଭୟ ସଂଘ ଓ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଘରୋଇ ବସ୍ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦ ଯୋଗୁଁ କୋରାପୁଟ୍ରୁ ୪୦ଟି ରୁଟ୍ରେ ବସ୍ ଚଳାଚଳ ବନ୍ଦ ରହିଥିଲା। ଯାହା ଫଳରେ ରଜ ସମୟରେ ଯାତ୍ରୀ ହନ୍ତସନ୍ତ ହେଉଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପ୍ରଶାସନ ପକ୍ଷରୁ ବସ୍ ମାଲିକ ସଂଘ ସହ ଆଲୋଚନା ପରେ ବସ୍ ଚଳାଚଳ ସ୍ଵାଭାବିକ ହୋଇଛି।