କେନ୍ଦୁଝର: ପୋଲିସ ଟାର୍ଗେଟରେ ବାଲି ମାଫିଆ । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ କେନ୍ଦୁଝର ପୁଲିସର ସ୍ୱତନ୍ତ୍ର ସ୍କ୍ବାର୍ଡ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି । କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶରେ ହୋଇଛି ଏହି ଚଢ଼ାଉ । ଆନନ୍ଦପୁର, ଘଷିପୁରା, ହାଟଡିହି ଏବଂ ଘଟଗାଁ ଅଞ୍ଚଳର ପ୍ରାୟ ୧୨ଟି ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ ବାଲି ମାଫିଆଙ୍କ ଆଡ୍ଡା ଓ ବାସଭବନ ଉପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ବାଲି ମାଫିଆଙ୍କ ଘରୁ ୨୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଏହାସହ ବାଲି ଚୋରା ଚାଲାଣରେ ବ୍ୟବହୃତ ହେଉଥିବା ୩୦ରୁ ଅଧିକ ଗାଡ଼ିକୁ ସିଜ୍ କରିଛି ପୋଲିସ । ଏହି ଚଢାଉରେ ପୋଲିସକୁ ବହୁ ସଂଖ୍ୟାରେ ବ୍ୟାଙ୍କ ପାସ୍ ବୁକ୍, ବୀମା କାଗଜପତ୍ର ଏବଂ ବାଲି ପରିବହନ ପାଇଁ ପ୍ରସ୍ତୁତ କରାଯାଇଥିବା ଏକାଧିକ ଜାଲ୍ ଦସ୍ତାବିଜକୁ ମଧ୍ୟ ହେପାଜତକୁ ନେଇଛି ।
୧୨ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ସ୍ନେହାଶିଷ ସାହୁ, ଆନନ୍ଦପୁର ଏସଡିପିଓ କମଳ ଲୋଚନ ପଣ୍ଡାଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଛି।