ତେଲକୋଇ : ସୁଭଦ୍ରା ଯୋଜନାରେ ଅର୍ଥ ପାଇବାକୁ ଯାଇ କିଛି ହିତାଧିକାରୀ ଏବେ ଅଡ଼ୁଆରେ ପଡ଼ିଛନ୍ତି। ଆଧାର ସହ ମୋବାଇଲ ନମ୍ବର ସଂଯୋଗ କରି ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଆଧାର କେନ୍ଦ୍ରରେ ମୋବାଇଲ ନମ୍ବର ସଂଯୋଗ କଲା ବେଳେ ଟିପଚିହ୍ନ ଦେଲା ବେଳକୁ ବ୍ୟାଙ୍କ ଜମାଖାତାରେ ଥିବା ନିଜର ସଞ୍ଚିତ ଅର୍ଥ ହଡ଼ପ ହୋଇଯାଇଛି। ଜଣେ କି ଦୁଇଜଣ ନୁହେଁ, ପ୍ରାୟ ୨୦ରୁ ୨୫ଜଣ ମହିଳାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାୟବ ହୋଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନାର ଉପାନ୍ତ ବେଣାମୁଣ୍ଡା ଓ ରାଇସୁଅାଁ ଅଞ୍ଚଳରେ। ଏହି ଘଟଣା ପରେ ମାମଲା ଏବେ ଥାନାରେ ଯାଇ ପହଞ୍ଚିଛି।
ସୁଭଦ୍ରା ଯୋଜନା ପାଇଁ ମୋବାଇଲ ନମ୍ବକୁ ଆଧାର ସହ ସଂଯୋଗ କରିବାକୁ ବେଣାମୁଣ୍ଡାଠାରେ ଥିବା ମିତେଶ କୁମାର ନାୟକଙ୍କ ଜନସେବା କେନ୍ଦ୍ରକୁ ବେଣାମୁଣ୍ଡା ଓ ଗଳଦା ଗ୍ରାମର କିଛି ମହିଳା ଯାଇଥିଲେ। ସେଠି ବିଜୟ ବେହେରା ନାମକ ଜଣେ ଯୁବକ ଆଧାର ସହ ମୋବାଇଲ ନମ୍ବରକୁ ସଂଯୋଗ କରୁଥିଲେ। ମୋବାଇଲ ନମ୍ବର ସଂଯୋଗ କରିବା ବେଳେ ମହିଳାଙ୍କଠାରୁ ଅଥେଣ୍ଟିକେସନ୍ ପାଇଁ ଓଟିଜି ଓ ମର୍ଫୋ ସ୍କାନର ମାଧ୍ୟମରେ ଟିପ ଚିହ୍ନ ନେଇଥିଲେ। ମହିଳାମାନେ ଆଧାର ସଂଯୋଗ ପାଇଁ ଟିପ ଚିହ୍ନ ଦେଇ ଘରକୁ ଫେରିଥିଲେ। ତେବେ ଧୀରେଧୀରେ ମହିଳାମାନଙ୍କ ବ୍ୟଙ୍କ ଜମା ଖାତାରେ ଥିବା ସଞ୍ଚିତ ଅର୍ଥ ଗାଏବ ହୋଇଯାଇଥିଲା।
ବେଣାମୁଣ୍ଡା ଗ୍ରାମର ତ୍ରିଲୋଚନ ସାହୁଙ୍କ ପତ୍ନୀ ସତ୍ୟଭାମା ସାହୁଙ୍କ ବ୍ୟାଙ୍କ ଖାତାରୁ ଗତ ୪ ତାରିଖରେ ୧୦ ହଜାର ଓ ୬ ତାରିଖ ୧୦ ହଜାର କଟିଯାଇଥିବା ମୋବାଇଲକୁ ମେସେଜ ଆସିଥିଲା। ଟଙ୍କା ବ୍ୟାଙ୍କ ଜମାଖାତାରୁ ଉଠିଥିବା ଜାଣି ବ୍ୟାଙ୍କକୁ ଯାଇ ଖୋଳତାଡ଼ କରିବା ପରେ ଆଧାର କେନ୍ଦ୍ରରେ ଟିପ ଚିହ୍ନ ଦ୍ୱାରା ତାଙ୍କ ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ। ସେହିପରି ଗଳଦା ଗ୍ରାମର ସ୍ନେହଲତା ବାକସିଂ, ଭବାନୀ ପାତ୍ର, ଜ୍ୟୋତିର୍ମୟୀ ଦେହୁରୀ, ସଂଯୁକ୍ତା ଜେନାଙ୍କର ମଧ୍ୟ ସମାନ ଢଙ୍ଗରେ ଉକ୍ତ ଆଧାର କେନ୍ଦ୍ରରେ ଟିପଚିହ୍ନ ଦେଲା ପରେ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି। ସଂଯୁକ୍ତା ଜେନା ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବ୍ୟାଙ୍କ ଜମାଖାତାରୁ ଦୁଇଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।
ତେବେ ଅର୍ଥ ହଡ଼ପକୁ ଆଧାର କେନ୍ଦ୍ର କରିଥିବା ଯୁବକ ବିଜୟ ବେହେରା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅନ୍ୟ ଜଣଙ୍କଠାରୁ ଆଧାର କେନ୍ଦ୍ରରେ ୟୁଜର ଆଇଡି ଆଣି ଆଧାର କେନ୍ଦ୍ର କରିଥିଲେ। ଫଳରେ ଏପରି ହୋଇଥାଇପାରେ ବୋଲି ସେ କହିଛନ୍ତି। ଏ ସଂପର୍କରେ ତେଲକୋଇ ଥାନା ଅଧିକାରୀ ସୁଶାନ୍ତ ପରିଡ଼ାଙ୍କୁ ପଚାରିବାରୁ ଏହାର ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।