୩ କୋଟିରୁ ଅଧିକ ଟଙ୍କା ହରିଲୁଟ୍: ଫେରାର ଡେରାବିଶ ବ୍ଲକ ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ଗିରଫ

କେନ୍ଦ୍ରାପଡ଼ା: ଅର୍ଥ ହଡ଼ପ ମାମଲାରେ ଡେରାବିଶ ବ୍ଲକ ହେଡ୍ କ୍ଲର୍କ ଶଶିକାନ୍ତ ରଣାଙ୍କୁ ଗିରଫ କଲା ଭିଜିଲାନ୍ସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରଣାଙ୍କୁ ୩.୦୩ କୋଟିରୁ ଅଧିକ ଟଙ୍କା ସରକାରୀ ପାଣ୍ଠି ହରିଲୁଟ୍ ଅଭିଯୋଗରେ ଗିରଫ କରାଯାଇଛି। ଦୀର୍ଘ ଦିନ ଧରି ଫେରାର ଥିବା ଶଶିକାନ୍ତଙ୍କୁ ଡିଜିଟାଲ ଟ୍ରାକିଂ ମାଧ୍ୟମରେ ଅନୁଗୋଳରୁ ଠାବ କରାଯାଇ ଗିରଫ କରାଯାଇଛି।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଶଶିକାନ୍ତ ରାଣା ନିଜ କାର୍ଯ୍ୟକାଳ ମଧ୍ୟରେ ସ୍ଥାପନା ବିଭାଗ (Establishment Section) ଦାୟିତ୍ୱରେ ଥିଲେ। ଏହି ବିଭାଗ ଦରମା, ବକେୟା ଏବଂ ପେନସନ୍ ସମ୍ବନ୍ଧୀୟ କାର୍ଯ୍ୟ ବୁଝାଶୁଣା କରୁଥିଲା। ସେ ସୁଚିନ୍ତିତ ଭାବେ HRMS Portal ବ୍ୟବହାର କରି ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ଜାଲ୍ କ୍ଲେମ୍ ପ୍ରସ୍ତୁତ କରୁଥିଲେ।

ଶଶିକାନ୍ତ ଦୁଇଟି ଭିନ୍ନ ସ୍ଥାନରେ ପୋଷ୍ଟିଂ ସମୟରେ ଏହି ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି। ରାଜକନିକା ବ୍ଲକରେ (୩୦ ଅଗଷ୍ଟ ୨୦୨୩ ରୁ ୪ ସେପ୍ଟେମ୍ବର ୨୦୨୪) ସେ ୧,୪୬,୬୮,୧୧୮ ଟଙ୍କା ଏବଂ ଡେରାବିଶ ବ୍ଲକରେ (୭ ଜାନୁଆରୀ ୨୦୨୫ ରୁ ୧୩ ଅକ୍ଟୋବର ୨୦୨୫) ସେ ୧,୫୬,୯୭,୭୨୫ ଟଙ୍କା ଆତ୍ମସାତ କରିଥିଲେ। ମୋଟ ଉପରେ ସେ ୩,୦୩,୬୫,୮୪୩ ଟଙ୍କାର ଦୁର୍ନୀତି କରିଛନ୍ତି।

ଅଭିଯୁକ୍ତ ଶଶିକାନ୍ତ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବଦଳରେ ନିଜର ଏବଂ ନିଜ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ବ୍ୟବହାର କରୁଥିବା ଜାମପଡିଛି  । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୪୨ ଏବଂ ୪୩/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ BNS ର ବିଭିନ୍ନ ଧାରାରେ ମାମଲା ଚାଲିଛି। ଆଜି ତାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।

About The Author: Madhusudan Das