କେନ୍ଦ୍ରାପଡ଼ା: ବାତ୍ୟା ପରେ ମାଡ଼ି ଆସିଲା ସମୁଦ୍ର ଜୁଆର। ପ୍ରବଳ ବର୍ଷାରେ ବଗପଟିଆ ବୁଡ଼ିଗଲା । ସାତଭାୟା ଥଇଥାନ ଆଶ୍ରୟସ୍ଥଳୀ ବଗପାଟିଆରେ ପଶିଥିଲା ଜୁଆର ପାଣି । ୫୭୧ ପରିବାର ପାଣି ଘେରରେ ରହିଛନ୍ତି । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୧୦୦ ରୁ ୧୧୦ କିମି ବେଗରେ ପବନ ବହିଥିଲା ।ସେପଟେ ବାତ୍ୟା ଦାନା ପ୍ରଭାବରେ ରାଜନଗର-ଗୁପ୍ତି, ନଳିତାପାଟିଆ-ଡାଙ୍ଗମାଳ, ରାଜନଗର-ତାଳଚୁଆ ରାସ୍ତାରେ ଗଛ ଭାଙ୍ଗି ପଡ଼ିଛି । ଭାଙ୍ଗି ଯାଇଥିବା ଗଛକୁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ସଙ୍ଗେ ସଙ୍ଗେ କାଟି ହଟାଇ ଦିଆଯାଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମୁଖ୍ୟତଃ ରାଜନଗର ବ୍ଲକର ତାଳଚୁଆ, ବାଘମାରି, ରଙ୍ଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ, ଗୁପ୍ତି, ସାତଭାୟା, ପେଣ୍ଠ ଆଦି ଅଧିକ କ୍ଷୟକ୍ଷତି ହୋଇଛି।