ପୁରୀ: ଆଶ୍ୱିନ ଶୁକ୍ଳ ଏକାଦଶୀ ଅର୍ଥାତ୍ ଅକ୍ଟୋବର ୨୫ ତାରିଖଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ମାସ ବାଳଧୂପ ନୀତି। ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପରେ ୫ ଦିନ ଧରି ପଞ୍ଚୁକ ଚାଲିବ। ତେବେ ଏହି ସ୍ୱତନ୍ତ୍ର ନୀତିକାନ୍ତି କିପରି ସୁରୁଖୁରରେ ସମ୍ପନ୍ନ ହେବ ସେ ନେଇ ସୋମବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ। ଏଥିରେ ନୀତି ସବ୍ କମିଟି ଦ୍ୱାରା ପ୍ରସ୍ତୁତ ନୀତିକାନ୍ତି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ହୋଇଛି। ଏତଦ୍ବ୍ୟତୀତ ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ବାଳଭୋଗ, ଠିକ୍ ସମୟରେ ମହାପ୍ରସାଦ ବାହାରିବା ଏବଂ ପଞ୍ଚୁକରେ ଭିଡ଼ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି। ସେହିପରି ୨୮ ତାରିଖରେ ହେବାକୁ ଥିବା ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, କାର୍ତ୍ତିକ ମାସରେ ରାତ୍ର ୧୨ଟାରେ ପହୁଡ଼ ସମ୍ପନ୍ନ ହୋଇ ରାତି ୪ଟାରେ ଦ୍ୱାର ଫିଟାଯିବ। ସାଢେ ୪ଟାରେ ଭିତର ଶୋଧ କରାଯାଇ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ନୀତି ନିର୍ଘଣ୍ଟ ହୋଇଛି। ଧର୍ମମାସ କାର୍ତ୍ତିକର ମୁଖ୍ୟ ଆକର୍ଷଣ ରାଧାଦାମୋଦର ବେଶ ସକାଳ ସାଢେ ୬ଟାରୁ ସାଢେ ୭ଟାରେ ସମ୍ପନ୍ନ ହେବ। ସାଢେ ୮ଟାରୁ ସାଢେ ୯ଟା ସକାଳ ଧୂପ (କେବଳ କୋଠଭୋଗ) ପରେ ପୂର୍ବାହ୍ନ ୧୦ଟାରୁ ସାଢେ ୧୦ଟା ମଧ୍ୟରେ ବାଳଧୂପ ବଢ଼ିବ। ସେହିପରି ପଞ୍ଚୁକକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଥିବାବେଳେ ଏହାର ତାରିଖ ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୩ ତାରିଖରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ସହିତ ହରି ଉତ୍ଥାପନ ନୀତି ରହିଛି। ସେହିପରି ୨୪ରେ ବାଙ୍କଚୁଡ଼ ବା ବାମନ ବେଶ ଥିବାବେଳ ଏହିଦିନ ଗରୁଡ଼ ଉତ୍ଥାପନ ନୀତି ମଧ୍ୟ ପଡ଼ିଛି। ୨୫ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୨୬ରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପଞ୍ଚକର ଶେଷ ଦିନ ଅର୍ଥାତ୍ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜାଧିରାଜ ବେଶ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦୀପାବଳି ଅମାବାସ୍ୟାଠାରୁ ପଞ୍ଚୁକ ମଧ୍ୟରେ ସୋମବାର ପଡ଼ିଲେ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ତେଣୁ ନଭେମ୍ବର ୨୦ ତାରିଖ ଅବକାଶ ନୀତି ପରେ ହରିହର ବେଶ ଅନୁଷ୍ଠିତ ହେବ।
ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି, କାର୍ତ୍ତିକ ମାସ ବାଳଧୂପ ନୀତି ଏବଂ ହବିଷ୍ୟାଳୀ ମା’ମାନଙ୍କ ସମେତ ଭକ୍ତଙ୍କ ଦର୍ଶନ କିପରି ଶୃଙ୍ଖଳିତ ଏବଂ ନିର୍ଘଣ୍ଟ ସମୟରେ ହେବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ସେବକ ନିଯୋଗ ସହଯୋଗ କରିବା ପାଇଁ ସହମତି ଦେଇଛନ୍ତି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡା ଯିବ ନାହିଁ। ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ। ହବିଷ୍ୟାଳୀଙ୍କ ସହ ବୃଦ୍ଧ, ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ଯୋଜନା କରାଯାଉଛି। ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତିଶା ନିଯୋଗ ନାୟକ, ମନ୍ଦିର କମାଣ୍ଡର, ପରିଚାଳନା କମିଟି ସେବାୟତ ପ୍ରତିନିଧି ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।