ଫୁଲବାଣୀ: ରାଜ୍ୟରେ ଆଜି ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ ସେବାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହିକ୍ରମରେ କନ୍ଧମାଳ ଜିଲ୍ଲାରେ ୫୦ଟି ବସ୍ର ଶୁଭାରମ୍ଭ ହୋଇଛି । ଏହି ବସ ପ୍ରତି ପଞ୍ଚାୟତରୁ ବ୍ଳକ୍ ମୁଖ୍ୟାଳୟକୁ ଗଡିବ। ଏହି ସେବା ଦ୍ୱାରା ଛାତ୍ରଛାତ୍ରୀ ଏବଂ ମହିଳାଙ୍କ ସହ ସାଧାରଣ ଲୋକମାନେ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଉଦଘାଟନୀ ଉତ୍ସବରେ କହିଛନ୍ତି । ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ମାନେ ସ୍କୁଲ କିମ୍ବା କଲେଜକୁ ଏହି ଲକ୍ଷ୍ମୀ ବସ ମାଧ୍ୟମରେ ମାତ୍ର ୫ ଟଙ୍କା ଦେଇ ଯାତାୟତ କରିପାରିବା ସହ ଦୁର୍ଗମ ଅଞ୍ଚଳକୁ ମଧ୍ୟ ଗମନା ଗମନ ସୁଗମ୍ୟ ହୋଇପାରିବ।
ସେହିପରି ବିଭିନ୍ନ କ୍ଷେତ୍ରରେ ରହି କାର୍ଯ୍ୟ କରୁଥିବା ମହିଳା, ମିଶନ ଶକ୍ତି ମହିଳା ମାନେ ମଧ୍ୟ ମାତ୍ର ୫ ଟଙ୍କାରେ ଯାତ୍ରା କରି ପାରିବେ। ଏହି ଲକ୍ଷ୍ମୀ ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ଯାତାୟତ ସୁଗମ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। କନ୍ଧମାଳ ଜିଲ୍ଲାରେ ୨୭ଟି ବସ ଆସିଥିବା ବେଳେ ଆଉ ୨୩ଟି ବସ ଚାଲିବ । କନ୍ଧମାଳ ରେ ସମୁଦାୟ ଗଡ଼ିଲା ୫୦ ଲକ୍ଷ୍ମୀ ବସ ୧୭୧ ପଞ୍ଚାୟତର ଲକ୍ଷାଧିକ ଲୋକେ ଉପକୃତ ହେବେ। ମିଶନ ଶକ୍ତି ମହିଳାଙ୍କୁ ରୋଜଗାର ଦେବା ପାଇଁ ଏହି ବସ୍ ପରିଚାଳନା ଭାର ମହିଳାଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆସନ୍ତା ଚଳିତ ମାସ ସୁଦ୍ଧା ସବୁ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଭେଚ୍ଛା ଦେଇଥିଲେ। କନ୍ଧମାଳ ଷ୍ଟାଡିୟମ୍ ଠାରେ ସ୍ୱତନ୍ତ୍ର ସଭାର ଆୟୋଜନ ହୋଇଥିଲା । ସେପଟେ ଗ୍ରାମାଞ୍ଚଳ ଲୋକଙ୍କ ଅର୍ଥ ନୈତିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ଉଦଘାନ କରିଥିବା ଲକ୍ଷ୍ମୀ ବସ୍ ଯୋଜନାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଉପବାଚସ୍ପତି ସାଲୁଗା ପ୍ରଧାନ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଏସଡିସି ଅଧ୍ୟକ୍ଷ ରଦୋନ ମଲିକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଫୁଲବାଣୀ ବିଧାୟକ ଅଂଗଦ କହଁର, ଜିଲା ପରିକ୍ଷଦ ଅଧ୍ୟକ୍ଷ ଶୁସ୍ରୀ ନନ୍ଦୀନି ମଳିକ, ଓ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ ।