କଳାହାଣ୍ଡି: ଯୌତୁକ ପାଇଁ ବୋହୂକୁ ନିଆଁ ଲଗାଇ ଜାଳିଦେଲେ ଶ୍ୱଶୁର । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଟାମୁଣ୍ଡା ଗାଁରି ଏପରି ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ଦାବି କରି ଜଣେ ମହିଳାଙ୍କ ଦେହରେ ତାଙ୍କ ନିଜ ଶ୍ୱଶୁର ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଟାମୁଣ୍ଡା ଗାଁରେ ଘଟିଛି। ପୀଡ଼ିତା ମହିଳାଙ୍କ ନାମ ଗୀତାଞ୍ଜଳି ବୋଲି ଜଣାପଡିଛି। ୨୦୨୧ ମସିହାରେ ସେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁଘର ଲୋକେ ତାଙ୍କୁ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଶ୍ୱଶୁର ଅତି ନିର୍ମମ ଭାବେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।
ନିଆଁରେ ପୋଡିହୋଇ ଗୀତାଞ୍ଜଳି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।
ଏହି ଘଟଣା ପରେ ଗୀତାଞ୍ଜଳିଙ୍କ ବାପା ଆମ୍ପାଣି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ପ୍ରାଥମିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଶ୍ୱଶୁରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶା କରାଯାଉଛି।