ଭୁବନେଶ୍ୱର: ଆସନ୍ତା ୨୨ରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଅଧିବେଶନ ପୂର୍ବରୁ ପୁଣି ସରକାରଙ୍କ ବିରୁଦ୍ଧରେ ରାଜରାସ୍ତା ଶୁଭିଲା ଶିକ୍ଷକଙ୍କ ଗର୍ଜ୍ଜନ । କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଦାବି ନେଇ ତିନି ଦିନ ହେବ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସି ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରଣକୁ ନେଇ ମାନ୍ୟବର ଉଚ୍ଚ ନ୍ୟାୟଳୟରେ ହୋଇଥିବା ମାମଲାର ସତ୍ୟପାଠ ଦାଖଲ କରି ରହିତାଦେଶ ଉଠାଇବା ଦାବି ନେଇ ଏହି ଧାରଣା ଦେଇଛି ସଂଘ ।
ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ରାଜ୍ୟ ସଭାପତି ଶେଷଦେବ ଯଜ୍ଞକାମ ଦେଓଙ୍କ ନେତୃତ୍ୱ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ ଚଳାଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା ଘୋଷଣା କେବଳ ଧର୍ମକୁ ଆଖିଠାର ବୋଲି ଅଭିଯୋଗ ଆଣିଛି ସଂଘ । ବାରମ୍ବାର ପ୍ରତିଶ୍ରୁତି ଦେଉଥିବା ସରକାର ଶିକ୍ଷକଙ୍କୁ ନିୟମିତ କରିବାର ଆନ୍ତରିକତା ନାହିଁ ବୋଲି ସଂଘ ଅଭିଯୋଗ କରିଛି । ଏଥର ଆଉ ପ୍ରତିଶ୍ରୁତି ନୁହେଁ ଦାବି ହାସଲ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ସଂଘ ।