ଭୁବନେଶ୍ୱର : ରାଜ୍ୟରେ ଭୁଶୁଡ଼ିଛି ସମ୍ପୂର୍ଣ୍ଣ ଆଇନଶୃଙ୍ଖଳା ସ୍ଥିତି। ଖୋଦ୍ ରାଜଧାନୀ ଭୁବନେଶ୍ୱରର ବିଏମ୍ସି ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ତଥା ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଓ ତାଙ୍କୁ ଅପହରଣ ପାଇଁ ଉଦ୍ୟମ କରିବା ଭଳି ଘଟଣା ସାରା ଦେଶରେ ଏବେ ଚହଳ ପକାଇଛି।
ଗତବର୍ଷ ରଥଯାତ୍ରା ସମୟରୁ ଆରମ୍ଭ ହୋଇଥିବା ବିଜେପି କର୍ମୀ ଓ ସମର୍ଥକଙ୍କ ନିୟମ ଭାଙ୍ଗିବା ଧାରା ଇତିମଧ୍ୟରେ ରାଜ୍ୟରେ ଅରାଜକତା ସୃଷ୍ଟି କରିଛି। ଗତବର୍ଷ ରଥଯାତ୍ରା ସମୟରେ ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲେ ମଧ୍ୟ ଆକ୍ରମଣକାରୀ ତଥା ତତ୍କାଳୀନ ରାଜ୍ୟପାଳଙ୍କ ପୁଅଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସରକାର ସାହସ ଜୁଟାଇ ପାରି ନାହାନ୍ତି। ଏହି ଘଟଣାକୁ ନେଇ ବିରୋଧୀ ବିଜେଡି, କଂଗ୍ରେସ ଉଭୟ ବିଧାନସଭା ଓ ରାଜରାସ୍ତାରେ ତୁମ୍ବିତୁଫୋନ କରିବା ସହିତ ବହୁ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ହେଲେ ସରକାର ଏହି ଘଟଣାରେ କେବଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନକୁ କାଗଜକଲମ ଭିତରେ ସୀମିତ ରଖିଦେଇଛନ୍ତି।
ଯାହାର ପରିଣାମ ସ୍ୱରୂପ ଆଜି ବିଏମସିର ଜଣେ ବରିଷ୍ଠ ଓଏଏସ୍ଙ୍କୁ ଆକ୍ରମଣ କରାଯାଇଛି। ସବୁଠୁ ବଡ଼ କଥା ହେଉଛି ଯେ ଏଭଳି ଘଟଣାରେ ବିଜେପି ନେତାଙ୍କ ସିଧାସଳଖ ସମ୍ପୃକ୍ତି ରହୁଛି। ଏସ୍ଏସଓ ବୈକୁଣ୍ଠଙ୍କୁ ମାଡ଼ ମାରିଥିବା ତତ୍କାଳୀନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ହୋଇଥିବାରୁ ପୁଲିସ୍ ତାଙ୍କ ହାତ ଦେବାକୁ ସାହସ କରିପାରିଲା ନାହିଁ ବୋଲି ଏବେ ପର୍ଯ୍ୟନ୍ତ ସରକାରଙ୍କୁ କୁହାଯାଉଛି। ଆଉ ଆଜି ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ପ୍ରରୋଚନା ଏବଂ ବିଜେପି କର୍ପୋରେଟର୍ ଅପରୂପ ନାରାୟଣ ରାଉତଙ୍କ ସହଯୋଗୀମାନେ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏହାପୂର୍ବରୁ ବିଜେଡିର ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ବିଜେପି କର୍ମୀ ଓ ନେତାଙ୍କୁ ଆୟତ୍ତରେ ରଖିବାକୁ ପରାମର୍ଶ ଦେଇଥିଲେ। ଉଭୟ ଗୃହ ଭିତରେ ଓ ଗୃହ ବାହାରେ ବିଜେପିର ‘ପାନ ଖିଆ ଛେତଲା ପାଟିଆ’ କର୍ମୀମାନେ କିପରି ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି ତାହା କହିଥିଲେ। ଏଭଳି ସ୍ଥିତି ଦ୍ୱାରା ସାରା ରାଜ୍ୟରେ ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ମନୋବଳ ଭାଙ୍ଗୁଥିବା ବେଳେ ସେମାନେ ଭଲଭାବେ କାମ କରିପାରୁ ନାହାନ୍ତି। ଯାହାଫଳରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ପାଇଁ ସରକାରୀ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ବିଭିନ୍ନ ସରକାରୀ କର୍ମଚାରୀ ସଂଘ ମଧ୍ୟ ନିଜର ସୁରକ୍ଷା ଦାବି କରି ବାରମ୍ବାର ସରକାରଙ୍କୁ ଦାବି ପତ୍ର ଦେଉଛନ୍ତି। ପୂର୍ବରୁ ଏଏସ୍ଓ ବୈକୁଣ୍ଠ ପ୍ରଧାନଙ୍କ ମାଡ଼ ଘଟଣାରେ ଏଏସ୍ଓ ସଂଘ ହସ୍ତକ୍ଷେପ କରିବା ସହିତ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ଏବେ ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ପରେ ଆଇଏସ୍ ଏବଂ ଓଏଏସ୍ ସଂଘ ମଧ୍ୟ ସରକାରଙ୍କ ଉପରେ ଖଡ୍ଗହସ୍ତ ହୋଇଛନ୍ତି।