ରସଗୋଲାକୁ ନେଇ ସାରେଗାମାପା’ ମଞ୍ଚରେ ଓଡ଼ିଆ ଝିଅ ସ୍ଥିତିପଦ୍ମାଙ୍କ ଉତ୍ତର, ‘ଜୟ ଜଗନ୍ନାଥ, ରସଗୋଲା ଆମର’

କଟକ: ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ତେବେ ସଙ୍ଗୀତ ଦୁନିଆର ଏକ ଶ୍ରେଷ୍ଠ ମଞ୍ଚ କୁହାଯାଉଥିବା ଜି-ଟିଭିର ସାରେଗାମା ପା’ ରିଅଲିଟି ସୋ’ରେ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଛି। ଯାହାର ଉତ୍ତର ଦେଇଛନ୍ତି କଟକ ସେଲ୍‌ଟର୍‌ ଛକର ଯୁବତୀ ସ୍ଥିତିପଦ୍ମା ଦାଶ। ଏହି ଘଟଣାବଳୀର ଭିଡ଼ିଓ ଏବେ […]

କଟକ: ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ତେବେ ସଙ୍ଗୀତ ଦୁନିଆର ଏକ ଶ୍ରେଷ୍ଠ ମଞ୍ଚ କୁହାଯାଉଥିବା ଜି-ଟିଭିର ସାରେଗାମା ପା’ ରିଅଲିଟି ସୋ’ରେ ମଧ୍ୟ ସମାନ ପ୍ରଶ୍ନ ପଚରାଯାଇଛି। ଯାହାର ଉତ୍ତର ଦେଇଛନ୍ତି କଟକ ସେଲ୍‌ଟର୍‌ ଛକର ଯୁବତୀ ସ୍ଥିତିପଦ୍ମା ଦାଶ। ଏହି ଘଟଣାବଳୀର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିୟାଁ ହିନ୍ଦୀରେ ପଚାରିଥିବା ରସଗୋଲା କାହାର ପ୍ରଶ୍ନରେ ସ୍ଥିତିପଦ୍ମା କହିଛନ୍ତି, ‘ଜୟ ଜଗନ୍ନାଥ ରସଗୋଲା ଆମର’।

ଗତ ସେପ୍ଟେମ୍ବର ମାସ ଶେଷ ସପ୍ତାହର ଘଟଣା। ସାରେଗାମାପା ରିଅଲିଟି ସୋ ନିମନ୍ତେ ମୁମ୍ବଇରେ ଅଡିସନ୍‍ ହେଉଥିଲା। ଏଥିରେ ବିଚାରକ ଭାବେ ବସିଥିଲେ ହିମେଶଙ୍କ ସମେତ ବିଶାଲ ଦଦଲାନି ଓ ଶଙ୍କର ମହାଦେବନ୍‍। ଯେଉଁ ପ୍ରତିଯୋଗୀ ପଶ୍ଚିମବଙ୍ଗରୁ ଆସିଥାନ୍ତି, ସମସ୍ତଙ୍କୁ ହିମେଶ ପ୍ରଥମେ ଗୋଟିଏ ପ୍ରଶ୍ନ ହିଁ ପଚାରୁଥିଲେ, ରସଗୁଲା କିସିକା ହେ! ଓଡ଼ିଶାକା ୟା କୋଲକାତା କା? ପଶ୍ଚିମବଙ୍ଗର ପ୍ରତିଯୋଗୀମାନେ ରସଗୋଲା ସେମାନଙ୍କର ବୋଲି ଦୃଢ଼୍ୟୋକ୍ତିର ସହ କହୁଥିଲେ। ତେବେ ଏହି କ୍ରମରେ ମଞ୍ଚକୁ ଆସିଥିଲେ କଟକର ଝିଅ ସ୍ଥିତିପଦ୍ମା। ସେ କଟକରୁ ଆସିଛନ୍ତି ବୋଲି ଜଣାପଡ଼ିବା ପରେ ବିଚାରକ ବିଶାଲ ଓ ଶଙ୍କର ହିମେସଙ୍କୁ ମନେପକାଇ ଦେଇଥିଲେ ପୁରୁଣା ପ୍ରଶ୍ନଟି। ହିମେସ ପୁଣି ସମାନ ପ୍ରଶ୍ନ ଦୋହରାଇଥିଲେ। ଏହାର ଉତ୍ତରରେ ସ୍ଥିତିପଦ୍ମା କହିଥିଲେ ଯେ, ଜୟ ଜଗନ୍ନାଥ ରସଗୋଲା ଆମର। ରସଗୋଳା କୋଲକାତାର ହୋଇପାରେ, ହେଲେ ରସଗୋଲା କେବଳ ଓଡ଼ିଶାର। ଯେଉଁମାନେ ଏଥିରେ ଯୁକ୍ତି କରୁଛନ୍ତି ସେମାନଙ୍କୁ କୌଣସି ଉତ୍ତର ଦେବାର ନାହିଁ ବୋଲି ରୋକଠୋକ ଭାବେ ଜବାବ ରଖିଥିଲେ ସ୍ଥିତିପଦ୍ମା। ଏହାର ଭିଡ଼ିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ପ୍ରକାଶ ଥାଉକି, ସୁଶୀଲ ଦାଶ ଓ ଶୈଳବାଳା ଦାଶଙ୍କ ଝିଅ ସ୍ଥିତିପଦ୍ମା ସଙ୍ଗୀତ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ମଧ୍ୟ ଅଟନ୍ତି। ପିଲାଟିବେଳୁ ସଙ୍ଗୀତ ପ୍ରତି ଦୁର୍ବଳତା ଥିଲା। ଏପରିକି ତାଙ୍କ ପରିବାରେ ସମସ୍ତେ ସଙ୍ଗୀତ ପ୍ରତି ରୁଚି ରଖନ୍ତି ବୋଲି ସ୍ଥିତିପଦ୍ମା କହିଥିଲେ। ସ୍ଥିତିପଦ୍ମାଙ୍କ ଆଉ ଏକ ପରିଚୟ ହେଉଛି, ସେ ହେଉଛନ୍ତି ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ସୁବାସ ଦାଶଙ୍କ ଝିଆରୀ। ସେ ସାରେଗାମାପା କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୩୦ ଭିତରେ ସ୍ଥାନ ପାଇଥିଲେ। ହେଲେ ଶ୍ରେଷ୍ଠ ୧୬ ଚୟନ ପ୍ରକ୍ରିୟାରେ ସେ ପ୍ରତିଯୋଗିତାରୁ ବାଦ୍‍ ପଡ଼ିଥିଲେ।

About The Author: The Sakala