ଯାଜପୁରରେ ବେକାବୁ ହେଉଛି ଡାଇରିଆ : ୭ ମୃତ, ଆକ୍ରାନ୍ତ ସଂଖ୍ୟା ୫୦୦ ଟପିଲା

ଯାଜପୁର/ଭୁବନେଶ୍ବର : ଯାଜପୁର ଜିଲ୍ଲାରେ ଦୁଇ ଦିନ ଧରି ଜାରି ରହିଥିବା ଡାଇରିଆ ଥମିବାର ନାଁ ନେଉନାହିଁ। ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଝାଡ଼ାବାନ୍ତିରେ ସଂକ୍ରମିତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରୁ ଆରମ୍ଭ କରି ଯାଜପୁରରୋଡ୍‌, କୋରେଇ, ଦାନଗଦି ଏବଂ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଖୁନ୍ଦି ହୋଇଯାଇଛନ୍ତି। ଡାକ୍ତରଖାନାଗୁଡିକରେ ଶଯ୍ୟା ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଥିବା ବେଳେ ଅନେକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଝାଡ଼ାବାନ୍ତି ଯୋଗୁଁ ଦୁଇ ଜଣଙ୍କର […]

ଯାଜପୁର/ଭୁବନେଶ୍ବର : ଯାଜପୁର ଜିଲ୍ଲାରେ ଦୁଇ ଦିନ ଧରି ଜାରି ରହିଥିବା ଡାଇରିଆ ଥମିବାର ନାଁ ନେଉନାହିଁ। ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ଝାଡ଼ାବାନ୍ତିରେ ସଂକ୍ରମିତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରୁ ଆରମ୍ଭ କରି ଯାଜପୁରରୋଡ୍‌, କୋରେଇ, ଦାନଗଦି ଏବଂ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଖୁନ୍ଦି ହୋଇଯାଇଛନ୍ତି। ଡାକ୍ତରଖାନାଗୁଡିକରେ ଶଯ୍ୟା ଅଭାବରୁ ଅନେକ ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଥିବା ବେଳେ ଅନେକ ଲୋକ ଘରେ ରହି ଚିକିତ୍ସିତ ହେଉଛନ୍ତି।

ମଙ୍ଗଳବାର ଝାଡ଼ାବାନ୍ତି ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦାନଗଦି ବ୍ଲକ ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗାଁର ସୁଦର୍ଶନ ପାତ୍ର ଓ ବସନ୍ତ ପାତ୍ର, କୋରେଇ ବ୍ଲକ କନ୍ତୋର ପଞ୍ଚାୟତ ଜଳନ୍ଦା ଗାଁର ପଞ୍ଜନ ମଳିକଙ୍କ ପତ୍ନୀ ଜାନକୀ(୫୫), ବଡ଼ଚଣା ବ୍ଲକର ସମିଆଁ ପଞ୍ଚାୟତ କଳକଳା ଗ୍ରାମର ନଙ୍ଗୁଳି ନାୟକଙ୍କ ପୁଅ ମଦନମୋହନ (୨୮) ଏବଂ ଶାଳପଡା ପଞ୍ଚାୟତ ତିଳପଦା ଗାଁର ଭାସ୍କର ମଲ୍ଲିକଙ୍କ ପୁଅ ଦିଲ୍ଲୀପ ମଲ୍ଲିକ(୨୬)ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଫଳରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସୁଦର୍ଶନଙ୍କ ମୃତ୍ୟୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିବା ବେଳେ ବସନ୍ତଙ୍କ ମୃତ୍ୟୁ କଟକ ବଡ଼ ଡାକ୍ତରଖାନାରେ ହୋଇଛି। ସେହିଭଳି ଜାନକୀଙ୍କ ମୃତ୍ୟୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏଭଳି ପରିସ୍ଥିତିକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଡାଇରିଆର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ମାଇକ୍ରୋବାୟୋଲୋଜି ଟିମ୍‌ ଜିଲ୍ଲାରେ ପହଞ୍ଚି କାରଣ ଖୋଜୁଥିବା ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସୂଚନା ଦେଇଛନ୍ତି। ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ଭୋଜିରେ ଖାଦ୍ୟ ସହିତ ମାଛି ବସୁଥିବା ଦୂଷିତ ଖାଦ୍ୟ ବ୍ୟବହାର ଯୋଗୁଁ ଏଭଳି ଡାଇରିଆ ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଭି. ପରମେଶ୍ୱରଣମ୍‌ ଜିଲ୍ଲାପାଳଙ୍କ ସହିତ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଭେଟିଛନ୍ତି। ଏହାର ମୁକାବିଲା ନେଇ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଥିବା ସେ କହିଛନ୍ତି।

ଝାଡ଼ାବାନ୍ତି ପ୍ରଭାବିତ ଧର୍ମଶାଳା, ବ୍ୟାସନଗର ପୌରାଞ୍ଚଳ, ଦାନଗଦି, ରସୁଲପୁର ଓ କୋରେଇ ବ୍ଲକ ସମେତ ଆଖପାଖ ଅଞ୍ଚଳରେ ଜନସ୍ୱାସ୍ଥ୍ୟ ଟିମ୍‌ ମୁତୟନ କରାଯାଇଛି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସମେତ ରାଜ୍ୟସ୍ତରରୁ ସ୍ୱତନ୍ତ୍ର ଭାବେ ୨ଟି ରାପିଡ ଆକ୍ସନ ଟିମ୍‌ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଜିଲ୍ଲା ଟିମ୍‌ ସହିତ ମିଳିତ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ, ଓ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ବିଶେଷଜ୍ଞ ଡାକ୍ତରମାନଙ୍କୁ ପ୍ରଭାବିତ ଅଞ୍ଚଳରେ ବିଶେଷଜ୍ଞ ସେବା ନିମନ୍ତେ ନିୟୋଜନ କରାଯାଇଛି। ସଂକ୍ରମିତ ରୋଗୀମାନଙ୍କୁ ଧର୍ମଶାଳା, ଯାଜପୁର ରୋଡ, ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ଗ୍ରାମୀଣ ପାଇପ୍‌ ଜଳ ଯୋଗାଣ ଟିମ୍‌ କ୍ଷେତ୍ରସ୍ତରରେ ସମସ୍ତ ପାନୀୟ ଜଳ ସ୍ରୋତ ଓ ଜଳ ଉତ୍ସକୁ ବିଶୋଧିତ କରୁଛନ୍ତି। ତୃଣମୂଳସ୍ତରରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଆଶାକର୍ମୀ, ଅଙ୍ଗୱାଡ଼ି କର୍ମୀ, ବହୁମୁଖି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଯଥେଷ୍ଟ ପରିମାଣର ହାଲୋଜେନ୍‌ ବଟିକା, ଓଆରଏସ୍‌ ପ୍ୟାକେଟ, ଔଷଧ ଓ ସଚେତନତା ବାର୍ତ୍ତା ସମନ୍ୱିତ ସୂଚନାପତ୍ର ଆଦି ଲୋକମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ଯୋଗାଇ ଦିଆଯାଇଛି ବୋଲି ବିିଭାଗ କହିଛି ।

About The Author: The Sakala