ଭୁବନେଶ୍ବର: ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ମାସ ଶେଷ ବେଳକୁ ହେବ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ପହଞ୍ଚିଛି ମା’ ସମଲେଶ୍ବରୀଙ୍କ ନିମନ୍ତ୍ରଣ ପତ୍ର । ମହାପ୍ରଭୁ ଲିଙ୍ଗରାଜ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମା’ ସମଲେଶ୍ବରୀଙ୍କ ପ୍ରତିନିଧି ଦେଇଛନ୍ତି ନିମନ୍ତ୍ରଣ ପତ୍ର।
ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏଡିଏମ୍, ସମ୍ବଲପୁର ମ୍ୟୁନିସିପାଲଟି କମିଶନଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ ଭୁବନେଶ୍ବର ପହଞ୍ଚି ଲିଙ୍ଗରାଜ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କୁ ନିଉତା ଦେବା ପରେ ଟିମ୍ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି।
ସୂଚନାଯୋଗ୍ୟ ସମଲେଇ ଲୋକର୍ପଣ ଉତ୍ସବରେ ଯୋଗ ଦେବାକୁ ଲିଙ୍ଗରାଜଙ୍କୁ ଦେବ ନିମନ୍ତ୍ରଣ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାକୁ ଭୁବନେଶ୍ବର ଆସିଛନ୍ତି ଏକ ପ୍ରତିନିଧି ଦଳ। ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରୀ ମନ୍ଦିରରୁ ବାହାରି ସମ୍ବଲପୁରର ମା’ ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା, ବାବା ସୋମନାଥ, ପୁରୀ ଶ୍ରୀମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ କରିଛନ୍ତି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିବା ପରେ ଭୁବନେଶ୍ବର ଆସି ଲିଙ୍ଗରାଜ ଓ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ନିମନ୍ତ୍ରଣ ପତ୍ର।