ଆଇପିଓ କିଣିବାକୁ ଯାଇ ଫସିଲେ ଯୁବକ : ନିବେଶ ଆଳରେ ୨ କୋଟିର ଚୂନ ମାରିନେଲେ ସାଇବର ଠକ

ଭୁବନେଶ୍ୱର : ସାଇବର୍‌ ଠକ ପୁଣିଥରେ ଭୁବନେଶ୍ବରରୁ ଏକ ବଡ଼ ହାତ ମାରିଛନ୍ତି। ଏଥର ଭାରତ ନୁହେଁ, ଆମେରିକା ପୁଞ୍ଜି ବଜାରରେ ନିବେଶର ଲୋଭ ଦେଖାଇ ସହିଦନଗର ଅଞ୍ଚଳର ଜଣେ ଯୁବକଙ୍କୁ ୨କୋଟିର ଚୂନ ମାରିଛନ୍ତି। ଏନେଇ କ୍ରାଇମବ୍ରାଞ୍ଚ‌‌‌‌ରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି। ଅଭିଯୋଗ ଅନୁଯାୟୀ, ଯୁବକଜଣଙ୍କ ଏକ ପଞ୍ଜିକୃତ କମ୍ପାନୀ ଦ୍ୱାରା ଭାରତୀୟ ପୁଞ୍ଜିବଜାରରେ ଅର୍ଥ ନିବେଶ କରିଥିଲେ। ନଭେମ୍ୱର ମାସ ବେଳକୁ ଏକ ଅଜଣା ବ୍ୟକ୍ତି ତାଙ୍କୁ ହ୍ବାଟ୍ସଆପ ଗ୍ରପ୍‌ରେ […]

ଭୁବନେଶ୍ୱର : ସାଇବର୍‌ ଠକ ପୁଣିଥରେ ଭୁବନେଶ୍ବରରୁ ଏକ ବଡ଼ ହାତ ମାରିଛନ୍ତି। ଏଥର ଭାରତ ନୁହେଁ, ଆମେରିକା ପୁଞ୍ଜି ବଜାରରେ ନିବେଶର ଲୋଭ ଦେଖାଇ ସହିଦନଗର ଅଞ୍ଚଳର ଜଣେ ଯୁବକଙ୍କୁ ୨କୋଟିର ଚୂନ ମାରିଛନ୍ତି। ଏନେଇ କ୍ରାଇମବ୍ରାଞ୍ଚ‌‌‌‌ରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି।

ଅଭିଯୋଗ ଅନୁଯାୟୀ, ଯୁବକଜଣଙ୍କ ଏକ ପଞ୍ଜିକୃତ କମ୍ପାନୀ ଦ୍ୱାରା ଭାରତୀୟ ପୁଞ୍ଜିବଜାରରେ ଅର୍ଥ ନିବେଶ କରିଥିଲେ। ନଭେମ୍ୱର ମାସ ବେଳକୁ ଏକ ଅଜଣା ବ୍ୟକ୍ତି ତାଙ୍କୁ ହ୍ବାଟ୍ସଆପ ଗ୍ରପ୍‌ରେ ଯୋଡ଼ିବା ସହ ସେଥିରେ ନିବେଶର ବିଭିନ୍ନ ସୂଚନା ଓ ଉପଦେଶ ଦେଉଥିଲା। ସେହି ସୂଚନା ଆଧାରରେ ଯୁବକଜଣଙ୍କ ଥରେ-ଦି’ଥର ଅର୍ଥ ଲଗାଣ କରି ଭଲ ଲାଭ ପାଇଥିଲେ। ତେଣୁ, ଉକ୍ତ ବ୍ୟକ୍ତି ଉପରେ ସେ ସଂପୂର୍ଣ୍ଣ ଭରସା କରି‌ଯାଇଥିଲେ। ତେବେ ଆମେରିକାରେ ଟ୍ରମ୍ପ୍‌ ସରକାର କ୍ଷମତାସୀନ ହେବା ପରେ ବ୍ୟକ୍ତିଜଣଙ୍କ ଗ୍ରୁପ୍‌ର ସବୁ ସଦସ୍ୟଙ୍କୁ ପ୍ରଲୋଭିତ କରିଥିଲା। କହିଥିଲା‌ ଯେ ଭାରତ ଅପେକ୍ଷା ଆମେରିକା ପୁଞ୍ଜିନିବେଶ କଲେ, ଖୁବ୍‌ କମ୍‌ ଦିନରେ ମୋଟା ଅଙ୍କର ଲାଭ ମିଳିବ। ଏଥିପାଇଁ ସେ ‘ଷ୍କୋଡସ୍‌’ ନାମକ ଏକ କମ୍ପାନୀରେ ପଞ୍ଜିକରଣ କରିବାକୁ ପ୍ରବର୍ତ୍ତାଇଥିଲା।

ତା’ କଥାରେ ବିଶ୍ବାସ କରି ଯୁବକଜଣଙ୍କ ‘ଷ୍କୋଡସ୍‌’ରେ ପଞ୍ଜୀକରଣ କରି ୟୁଏସ୍‌ଏ(ଆମେରିକା) ପୁଞ୍ଜି ବଜାରରେ ଅର୍ଥ ବିନିଯୋଗ କରିଥିଲେ। କିଛି ଦିନ ଭଲ ଲାଭ ମିଳିବାରୁ ତାଙ୍କର ବିଶ୍ବାସ ଆହୁରି ବଢ଼ି ଯାଇଥିଲା। ତେଣୁ ପର୍ଯ୍ୟାୟକ୍ରମେ ସେ ୯୭ ଲକ୍ଷ ଟଙ୍କା ନିବେଶ କରିଦେଇଥିଲେ। ତେବେ ନିବେଶ ଓ ସେଥିରୁ ମିଳୁଥିବା ଲାଭ ‘ଷ୍କୋଡସ୍‌’ ୱାଲେଟ୍‌ରେ ରହୁଥିଲା। କିଛି ଦିନ ପରେ ‘ଷ୍କୋଡସ୍‌’ କର୍ତ୍ତୃପକ୍ଷ ତାଙ୍କୁ ଏକ କମ୍ପାନିର ଆଇପିଓ କିଣିବାକୁ ପ୍ରବର୍ତ୍ତାଇଥିଲେ। ଏଥିସହ, ଆଇପିଓ ବୁକ୍‌ କଲେ, ଭାରତୀୟ ପୁଞ୍ଜିବଜାର ଭଳି ସେଠାରେ ଆଗୁଆ ଟଙ୍କା ଜମା କରିବାକୁ ପଡ଼ିବ ନାହିଁ ବୋଲି ମଧ୍ୟ କୁହାଯାଇଥିଲା। ଯୁବକଜଣଙ୍କ ‘ଷ୍କୋଡସ୍‌’ ମାଧ୍ୟମରେ ଆଇପିଓ ବୁକ୍‌ କରିଥିଲେ। ତେବେ ଆଇପିଓଟି ତାଙ୍କୁ ବଣ୍ଟନ ହୋଇଯିବାରୁ ସଙ୍ଗେସଙ୍ଗେ ୩କୋଟି ୫୦ଲକ୍ଷ ଟଙ୍କା ଜମା କରିବାକୁ ‘ଷ୍କୋଡସ୍‌’ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିଲେ। ତେବେ ଯୁବକଜଣଙ୍କ ଏତେ ପରିମାଣ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ ହେଁ କମ୍ପାନୀ ତାଙ୍କୁ କିଣିବାକୁ ବାଧ୍ୟ କରିଥିଲା। ଏଥିପାଇଁ କମ୍ପାନୀ ନିଜ ଆଡ଼ୁ ଦୁଇ କୋଟି ଟଙ୍କା ସାହାଯ୍ୟ କରିବ ବୋଲି କହି ବାକି ଦେଢ଼ କୋଟି ଯୋଗାଡ଼ କରିବାକୁ ଯୁବକଙ୍କୁ କହିଥିଲା।

ଯୁବକଜଣଙ୍କ ନିଜର ବ୍ୟାଙ୍କ୍‌ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଓ ସାଙ୍ଗମାନଙ୍କଠାରୁ ଧାର୍‌ ଆଣି ପୁଣି ୯୭ ଲକ୍ଷ ଟଙ୍କା ପୈଠ କରିଥିଲେ। କିନ୍ତୁ, ପାଖାପାଖି ୨ କୋଟି ଟଙ୍କା ଜମା ହୋଇଯିବା ପରେ ତାଙ୍କର ଆକାଉଣ୍ଟକୁ ଠକମାନେ ବ୍ଲକ୍‌ କରିଦେଇଥିଲେ। କିନ୍ତୁ କମ୍ପାନୀ ଏହାର କାରଣ ଦର୍ଶାଇଥିଲଶ ଯେ ଆମେରିକା ବଜାର ନିୟାମକ ସଂସ୍ଥା ସିକ୍ୟୁରିଟି ଓ ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ଆକାଉଣ୍ଟଗୁଡ଼ିକୁ ବ୍ଲକ୍‌ କରିଦେଇଛି। ଏହାକୁ ଅନ୍‌-ବ୍ଲକ୍‌ କରିବା ପାଇଁ ଏସ୍‌ଇସିର କର୍ମଚାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିବ କହି ପୁଣି ଠକମାନେ ଯୁବକଙ୍କଠାରୁ ଆହୁରି ୧୨ଲକ୍ଷ ଟଙ୍କା ନେଇ ଯାଇଥିଲେ। ଏହା ପରଠାରୁ ତାଙ୍କ ‘ଷ୍କୋଡସ୍‌’ ଆପ୍ଲିକେସନ୍‌ ବନ୍ଦ ହୋଇଯିବା ସହ କମ୍ପାନୀ କର୍ତ୍ତୃପକ୍ଷ ଆଉ ଧରାଛୁଆଁ ଦେଇନଥିଲେ। ତେଣୁ ସେ ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିବା ପରେ ପ୍ରଥମେ ସାଇବର ହେଲ୍ପଡେସ୍କ ଓ ପରେ କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି। ମୋଟ ୨ କୋଟି ୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି। କ୍ରାଇମବ୍ରାଞ୍ଚର ସାଇବର ଥାନା କେସ୍‌ ନଂ ୧୧/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

About The Author: The Sakala