ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରତି ବଢୁଛି ଆଗ୍ରହ, ବିଏଡ୍‌ ପାଇଁ ୪୭ ଗୁଣା ଆବେଦନ

ଭୁବନେଶ୍ୱର : ବିଏଡ୍‌ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ। ମୋଟ୍‌ ସିଟ୍‌ ତୁଳନାରେ ପ୍ରାୟ ୩୦ରୁ ୫୦ ଗୁଣ ଆବେଦନ ହେଉଛି। ପ୍ରତିବର୍ଷ ପ୍ରବେଶିକା ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅପରପକ୍ଷରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ ପରିମାଣରେ ଉତ୍ସାହ ଦେଖାଯାଉନାହିଁ। ସ୍ନାତକୋତ୍ତର ପଢ଼ିବା ପାଇଁ ସିପିଇଟି ପରୀକ୍ଷା ଦେବାକୁ ପୂର୍ବାପେକ୍ଷା ଆବେଦନ କମୁଛି। ବିଇଡି ପରି ନିଯୁକ୍ତିଭିତ୍ତିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବାବେଳେ ଉଚ୍ଚଶିକ୍ଷା ପାଇଁ ଆବେଦନ […]

ଭୁବନେଶ୍ୱର : ବିଏଡ୍‌ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ। ମୋଟ୍‌ ସିଟ୍‌ ତୁଳନାରେ ପ୍ରାୟ ୩୦ରୁ ୫୦ ଗୁଣ ଆବେଦନ ହେଉଛି। ପ୍ରତିବର୍ଷ ପ୍ରବେଶିକା ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଅପରପକ୍ଷରେ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ ପରିମାଣରେ ଉତ୍ସାହ ଦେଖାଯାଉନାହିଁ। ସ୍ନାତକୋତ୍ତର ପଢ଼ିବା ପାଇଁ ସିପିଇଟି ପରୀକ୍ଷା ଦେବାକୁ ପୂର୍ବାପେକ୍ଷା ଆବେଦନ କମୁଛି। ବିଇଡି ପରି ନିଯୁକ୍ତିଭିତ୍ତିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଆଗ୍ରହ ବଢ଼ୁଥିବାବେଳେ ଉଚ୍ଚଶିକ୍ଷା ପାଇଁ ଆବେଦନ କମୁଛି।

ବିଏଡ୍‌ ନାମଲେଖା ପାଇଁ ସମୁଦାୟ ୩୧ଟି ଶିକ୍ଷାନୁଷ୍ଠାନରେ ୨୭୫୦ସିଟ୍‌ ରହିଛି। ଚଳିତ ଶିକ୍ଷା ବର୍ଷରେ ୧ଲକ୍ଷ ୨୯ହଜାର ୭୧୨ ଜଣ ବିଇଡି ପ୍ରବେଶିକା ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଅର୍ଥାତ୍‌ ସମୁଦାୟ ସିଟ୍‌ର ପ୍ରାୟ ୪୭ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଆବେଦନକାରୀଙ୍କ ମଧ୍ୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଢେର ଅଧିକ। ଚଳିତ ଥର ୪୩ ହଜାର ୬୧୨ ଜଣ ଛାତ୍ର ଆବେଦନ କରିଥିବାବେଳେ ଏହାର ପ୍ରାୟ ଦୁଇଗୁଣା ଅର୍ଥାତ୍‌ ୮୬ ହଜାର ୯୩ଜଣ ଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି। ସେହିପରି କେବଳ ବିଇଡି ପାଇଁ ୧ଲକ୍ଷ ୨୬ ହଜାର ୧୨୫ ଜଣ ଆବେଦନ କରିଥିବା ବେଳେ ବିଏଚ୍‌ଇଡି ପାଇଁ ୧୯୩୬ ଓ ଏମ୍‌ଇଡି ପାଇଁ ୧୬୫୧ ଜଣ ଆବେଦନ କରିଛନ୍ତି। ଗତ ଶିକ୍ଷାବର୍ଷ ତୁଳନାରେ ମଧ୍ୟ ଚଳିତବର୍ଷ ଆବେଦନ ସଂଖ୍ୟା ବହୁ ଅଧିକ। ୨୦୨୪-୨୫ ଶିକ୍ଷାବର୍ଷରେ ସମୁଦାୟ ୯୫ ହଜାର ୧୧୨ ପିଲା ଆବେଦନ କରିଥିଲେ; ଯାହା ସମୁଦାୟ ସିଟ୍‌ର ପ୍ରାୟ ୩୪ ଗୁଣ। ଚଳିତଥର ପ୍ରାୟ ୩୪ହଜାର ୬୦୦ ଅଧିକ ପିଲା ଆବେଦନ କରିବାରୁ ଏହା ୪୭ଗୁଣାରେ ପହଞ୍ଚିଛି।

ଅନୁରୂପ ଭାବେ ସ୍ନାତକୋତ୍ତର ପଢ଼ିବା ପାଇଁ ପିଲାଙ୍କ ମଧ୍ୟରେ ସମ ପରିମାଣରେ ଆଗ୍ରହ ନାହିଁ। ଗତବର୍ଷ ୧୧୩ଟି ଶିକ୍ଷାନୁଷ୍ଠାନରେ ୨୮ହଜାର ୯୨୬ଟି ସିଟ୍‌ ଥିବାବେଳେ ଚଳିତ ବର୍ଷ ୮୦୬ଟି ସିଟ୍‌ ବଢ଼ି ସମୁଦାୟ ସିଟ୍‌ ସଂଖ୍ୟା ୨୯ହଜାର ୭୩୨ରେ ପହଞ୍ଚିଛି। ହେଲେ ପୂର୍ବାପେକ୍ଷା ଆବେଦନ ସଂଖ୍ୟା କମିଛି। ୨୦୨୩ରେ ୬୯ହଜାର ୭୦୫ଜଣ ଆବେଦନ କରିଥିଲେ। ୨୦୨୪ରେ ପ୍ରାୟ ୬ହଜାର ଆବେଦନ କମି ୬୩ହଜାର ୧୫୦ରେ ପହଞ୍ଚିଥିଲା। ଚଳିତଥର ଏଥିରେ ଆଉ ହଜାରେ ଆବେଦନ କମି ଆବେଦନ ସଂଖ୍ୟା ୬୨ହଜାର ୩୨୧ରେ ପହଞ୍ଚଛି। ଚଳିତ ବର୍ଷ ଆବେଦନକାରୀଙ୍କ ମଧ୍ୟରେ ୪୩ହଜାର ୧୪୭ଜଣ ଛାତ୍ରୀ ଥିବାବେଳେ ୧୯ ହଜାର ୧୧୯ ଜଣ ଛାତ୍ର ରହିଛନ୍ତି।

ଗୋଟିଏ ପଟେ ବିଇଡି ପରି ନିଯୁକ୍ତି ଭିତ୍ତିକ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବାବେଳେ ଉଚ୍ଚଶିକ୍ଷା ପାଇଁ ଉତ୍ସାହ କମୁଛି। ଶିକ୍ଷାବିତଙ୍କ କହିବା କଥା, ବିଇଡି ପାଠ୍ୟକ୍ରମ ସାରିବା ପରେ ଶିକ୍ଷକ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି ହେଉଛି। ରାଜ୍ୟରେ ବହୁ ଶିକ୍ଷକ ପଦ ଖାଲି ପଡ଼ିଥିବାରୁ ନିଯୁକ୍ତି ସୁଯୋଗ ମଧ୍ୟ ଅଧିକ ରହୁଛି। ଅପରପକ୍ଷରେ ସ୍ନାତକତ୍ତୋର ପରେ ଅଧ୍ୟାପକ ହେବାକୁ ଅଧିକ ପ୍ରତିଦ୍ୱନ୍ଦ୍ବିତା କରିବାକୁ ପଡ଼ୁଛି। ପୁଣି ଯେଇଁ ପିଲାମାନେ ନିଯୁକ୍ତି ପରୀକ୍ଷା ଦେବେ ସେମାନେ ସ୍ୱାତକ ପରେ ପ୍ରସ୍ତୁତି କରିବାକୁ ପସନ୍ଦ କରୁଥିବାରୁ ସ୍ନାତକୋତ୍ତରରେ ଆବେଦନ ସଂଖ୍ୟା କ୍ରମାଗତ ଭାବେ କମୁଛି।

About The Author: The Sakala