ବ୍ରହ୍ମପୁର,୧ା୨(ସମିସ): ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନେହରୁନଗର ସ୍ଥିତ ଘରେ ପଶି ଭଙ୍ଗାରୁଜା ସହ ତାଙ୍କୁ ଟଣାଓଟରା କରିବା ଘଟଣାରେ ଗୋସାଣୀନୂଆଗାଁ ଥାନାରେ ସେ ଏତଲା ଦେଇଛନ୍ତି। ବିଏମସି କମିଶନର ସିଦେ୍ଧଶ୍ୱର ବଳିରାମ ବୋନ୍ଦାରଙ୍କ ସମେତ ୪୦ଜଣଙ୍କ ନାମରେ ସେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ପୁଲିସ ମାମଲା ପଞ୍ଜୀକୃତ କରିବା ସହ ଏତଲାକୁ କୋର୍ଟକୁ ପଠାଇ ଦେଇଛି। ପୁଲିସ ଘଟଣାର ତଦନ୍ତ ଚଲାଇଛି। ୨୦୨୧ ଡିସେମ୍ବର ୭ରେ ପ୍ରମିଳା ତ୍ରିପାଠୀ ରହୁଥିବା ରାଜୀବ ଆବାସ ଆପାର୍ଟମେଣ୍ଟ୍ର ପ୍ରାୟ ୩୯ଟି ଘରକୁ ସେ ନିଜ କବ୍ଜାରେ ରଖିଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ବିଏମ୍ସି କମିଶନର ଏବଂ ତାଙ୍କ କର୍ମଚାରୀ ଗୋସାଣୀନୂଆଗାଁ ଥାନା ପୁଲିସ ଜରିଆରେ ଉକ୍ତ ଅଞ୍ଚଳରେ ପହଞ୍ଚିଥିଲେ। ଉକ୍ତ ଆପାର୍ଟମେଣ୍ଟ୍ର ଗ୍ରୀଲ୍ ଭାଙ୍ଗିବା ସହ ଘର ଭିତରେ ପଶି ଜିନିଷପତ୍ର ଭଙ୍ଗାରୂଜା କରିବା ସହ ପ୍ରମିଳାଙ୍କୁ ଟଣାଓଟରା କରାଯାଇଥିବା ନେଇ ପ୍ରମିଳା ଅଭିଯୋଗ କରିଛନ୍ତି। ଏ ସମୟରେ କିଛି ସମୟ ଧରି ବିଏମ୍ସି କର୍ମଚାରୀ ଏବଂ ପ୍ରମିଳାଙ୍କ ମଧ୍ୟରେ ବାକ୍ୟଯୁଦ୍ଧ ଚାଲିଥିଲା। ପରିସ୍ଥିତ ଏକ ପ୍ରକାର ଅଣାୟତକୁ ମଧ୍ୟ ଆସିଥିଲା। ଏ ନେଇ ପ୍ରମିଳା ୨୦୨୨ ଜାନୁୟାରୀ ୩୧ ତାରିଖରେ ଏତଲା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ପ୍ରମିଳା ତ୍ରିପାଠୀ ତପସ୍ୱିନୀ-ସୁମିତ ମାମଲାରେ ତପସ୍ୱିନୀଙ୍କୁ ସହଯୋଗ କରି ତପସ୍ୱିନୀଙ୍କ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସି ଚର୍ଚ୍ଚିାକୁ ଆସିଥିଲେ।