ସଫଳତା ସାଉଣ୍ଟୁଛି ‘ଆଇକନିକ୍‌ ଆଦର୍ଶ ବିଦ୍ୟାଳୟ’ : ଦୁଇ ବର୍ଷରେ ୨ଶହ ପିଲା ନେଟ୍‌ ଓ ଜେଇଇ କୃତକାର୍ଯ୍ୟ

ଭୁବନେଶ୍ୱର : ସଫଳତା ସାଉଁଟୁଛି ଅନ୍ଧାରୁଆସ୍ଥିତ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ମାତ୍ର ୨ ବର୍ଷର ଏହି ଶିକ୍ଷାନୁଷ୍ଠାନର ପ୍ରାୟ ୨୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ନିଟ୍‌ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରି ଡାକ୍ତରୀ ପଢ଼ୁଛନ୍ତି। କେବଳ ଆଇକନିକ୍‌ ବିଦ୍ୟାଳୟ ନୁହେଁ; ପ୍ରତି ବ୍ଲକ୍‌ରେ ପ୍ରତିଷ୍ଠିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଜାତୀୟ ସ୍ତରର ପରୀକ୍ଷାରେ […]

ଭୁବନେଶ୍ୱର : ସଫଳତା ସାଉଁଟୁଛି ଅନ୍ଧାରୁଆସ୍ଥିତ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ। ମାତ୍ର ୨ ବର୍ଷର ଏହି ଶିକ୍ଷାନୁଷ୍ଠାନର ପ୍ରାୟ ୨୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଦେଶର ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ନିଟ୍‌ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରି ଡାକ୍ତରୀ ପଢ଼ୁଛନ୍ତି। କେବଳ ଆଇକନିକ୍‌ ବିଦ୍ୟାଳୟ ନୁହେଁ; ପ୍ରତି ବ୍ଲକ୍‌ରେ ପ୍ରତିଷ୍ଠିତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଜାତୀୟ ସ୍ତରର ପରୀକ୍ଷାରେ ସଫଳତା ହାସଲ କରୁଛନ୍ତି। ଫଳରେ ଆଦର୍ଶ ବିଦ୍ୟାଳୟ ଓ ଆଇକନିକ୍‌ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି।

ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୨୦୨୨ରେ ଆରମ୍ଭ ହେବା ପରେ ଦୁଇଟି ବ୍ୟାଚ୍‌ରେ ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରତିବର୍ଷ ୫ଶହ ପିଲା ଲେଖାଏଁ ମୋଟ୍‌ ହଜାରେ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ୧୩୮ ଜଣରୁ ଅଧିକ ପିଲା ଜେଇଇ ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ଦେଶର ବିଭିନ୍ନ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। ସେହିପରି ପ୍ରାୟ ୩୫ଜଣ ପିଲା ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢ଼ିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଆଇକନିକ୍‌ ଆଦର୍ଶ ବିଦ୍ୟାଳୟର ଶିକ୍ଷାଦାନ ଶୈଳୀ ଓ ଶୈକ୍ଷିକ ବାତାବରଣ ସେମାନଙ୍କୁ ସଫଳତା ପାଇବାରେ ସହଯୋଗ କରୁଛି। ସକାଳ ୭.୪୫ରୁ ଅପରାହ୍ଣ ୧.୩୦ ପର୍ଯ୍ୟନ୍ତ ଶ୍ରେଣୀଗୃହରେ ପାଠପଢ଼ା ହେଉଛି। ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର କରିବାକୁ ଶିକ୍ଷକମାନେ ପ୍ରାଥମିକତା ଦେଉଛନ୍ତି। ଦୈନିକ ଘଣ୍ଟାଏ ଲେଖାଏଁ ଏଥିପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଆବଶ୍ୟକସ୍ଥଳେ ଅତିରିକ୍ତ ସମୟ ଦେଇ ପିଲାଙ୍କୁ ବୁଝାଇଥା’ନ୍ତି। ଯେଉଁଦିନର ପାଠ ସେହିଦିନ ସାରିବାକୁ ପ୍ରୋତ୍ସାହିତ କରାଯାଉଥିବାରୁ ଆଗ୍ରହ ବହୁଗୁଣିତ ହେଉଛି।

ଅନ୍ୟପକ୍ଷରେ ଅନ୍ଧାରୁଆ ଆଇକନିକ୍‌ ଆଦର୍ଶ ବିଦ୍ୟାଳୟରେ ରହିଛି ୨୬ଟି ଅତ୍ୟାଧୁନିକ ଶ୍ରେଣୀଗୃହ, ଆଇସିଟି ଲ୍ୟାବ୍‌, ୮ଟି ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍‌ ଓ ଗ୍ରନ୍ଥାଗାର, ଯାହା ଛାତ୍ରଛାତ୍ରୀଙ୍କୁ ପଢ଼ିବା ପାଇଁ ଆଗ୍ରହ ବଢ଼ାଇବା ସହ ଉତ୍ତମ ବୈଷୟିକ ଶିକ୍ଷା ଗ୍ରହଣରେ ବିଶେଷ ସହାୟକ ହୋଇଛି। ୧୩ ଏକର ଜମିରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ଲେଖାଏଁ ଛାତ୍ରନିବାସ ଓ ଛାତ୍ରୀନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ଟି ଅତିଥି କକ୍ଷ ଓ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମାଗାର, ସେଣ୍ଟ୍ରାଲ କିଚେନ ଓ ଡାଇନିଙ୍ଗ, ଡର୍ମିଟୋରି, ପାର୍କିଂ ଓ ବଗିଚାର ବ୍ୟବସ୍ଥା ହୋଇଛି। ୧୨ ଏକର ଜମିରେ ଦୌଡ଼କୁଦ ଟ୍ରାକ୍‌, ଫୁଟବଲ୍‌ ପଡ଼ିଆ, ବ୍ୟାଡ୍‌ମିଣ୍ଟନ୍‌ ଓ ଭଲିବଲ୍‌ କୋର୍ଟ ଆଦି ମୁକ୍ତାକାଶ କ୍ରୀଡ଼ା ସୁବିଧା ପିଲାମାନଙ୍କ ଶାରୀରିକ ଭାବେ ସୁସ୍ଥ ରଖିବା ସହ ମନକୁ ପ୍ରଫୁଲ୍ଲ କରୁଛି। ଫଳରେ ମାତ୍ର ଦୁଇବର୍ଷର ଏହି ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଥମ ଥର ପାଇଁ ସିବିଏସ୍‌ଇ ପାଠ୍ୟକ୍ରମ ଆଧାରିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଢାଞ୍ଚାରେ ରାଜ୍ୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ପରିକଳ୍ପନା କରିଥିଲେ। ପୁଣି ସମସ୍ତ ଓଏଭିରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଆଇକନିକ୍‌ ଓଏଭି କରିବାକୁ ଯୋଜନା କଲେ। ଉନ୍ନତମାନର ଓ ଅତ୍ୟାଧୁନିକ ଶିକ୍ଷାଦାନ ବ୍ୟବସ୍ଥା କରି ଓଡ଼ିଆ ପିଲାଙ୍କୁ ଦେଶରେ ପ୍ରତିଷ୍ଠିତ କରିବାକୁ ରୋଡ୍‌ ମ୍ୟାପ୍‌ କଲେ। ଯାହାର ସୁଫଳ ମାତ୍ର ଦୁଇବର୍ଷରୁ ରାଜ୍ୟର ଛାତ୍ରଛାତ୍ରୀମାନେ ପାଇପାରୁଛନ୍ତି। ଶିକ୍ଷାକ୍ଷେତ୍ରରେ ରାଜ୍ୟ ପାଇଁ ଏହା ଏକ ମାଇଲ୍‌ଷ୍ଟୋନ୍‌ ବୋଲି ଅଭିଭାବକ ଓ ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।

About The Author: The Sakala