ଭୁବନେଶ୍ୱର: ଓଡ଼ିଶାକୁ ବିଜେପିର ପ୍ରତାରଣାର ଅନ୍ୟଏକ ଫର୍ଦ୍ଦ କେନ୍ଦୁପତ୍ର। କେନ୍ଦୁପତ୍ର ତୋଳାଳି ଓ ଏହା ସହ ଜଡ଼ିତ ଲୋକମାନଙ୍କୁ ୫ ବର୍ଷ ହେଲା ଠକି ଚାଲିଛି ବିଜେପି ଓ ଏହାର କେନ୍ଦ୍ରୀୟ ନେତା। କେବଳ ଭୋଟ ପାଇଁ କାନ୍ଦୁଥିବା କେନ୍ଦ୍ରର ବିଜେପି ସରକାର କେନ୍ଦୁପତ୍ର ଉପରୁ ୧୮% ଜିଏସ୍ଟି ଛାଡ଼ କରିବାକୁ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ବି ତାହାକୁ ପାଳନ କରିନାହିଁ। କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀଙ୍କୁ ୪ ଥର ଚିଠି ଲେଖିଛନ୍ତି। ଓଡ଼ିଶାରେ କିପରି ଆଦିବାସୀ ଓ ମହିଳାମାନଙ୍କ ସ୍ୱାର୍ଥ ଜିଏସ୍ଟି ଯୋଗୁଁ ପ୍ରଭାବିତ ହେଉଛି ତାହା ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି। ହେଲେ କେନ୍ଦ୍ର ସରକାର ଏ କ୍ଷେତ୍ରରେ ସମ୍ବେଦନହୀନତା ପୋଷଣ କରି ଚାଲିଛନ୍ତି। ଗତ ବର୍ଷ ଜୁନ୍ ମାସରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅର୍ଥମନ୍ତ୍ରୀ ଚିଠି ଲେଖି କେନ୍ଦୁପତ୍ର ଉପରୁ ଜିଏସ୍ଟି ହ୍ରାସ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।
ପଶ୍ଚିମ ଓଡ଼ିଶାର ଗରିବ ଆଦିବାସୀ, ଦଳିତଙ୍କୁ ପ୍ରଲୋଭିତ କରିବାକୁ ପ୍ରତି ନିର୍ବାଚନ ସମୟରେ ବିଜେପି ନେତାମାନେ ‘କେନ୍ଦୁପତ୍ର’ ଜିଏସ୍ଟି ହ୍ରାସ ପ୍ରଲୋଭନ ଦେଖାଉଛନ୍ତି। ଗତ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦେଇଥିବା ପ୍ରତିଶ୍ରୁତି ପୁଣି ପଦମ୍ପୁର ଉପନିର୍ବାଚନ ସମୟରେ ମଧ୍ୟ ଦୋହରାଇଛନ୍ତି। ଏପରିକି ଅତୀତରେ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏହି ପ୍ରସଙ୍ଗକୁ ସ୍ଥାନ ଦେଇଛନ୍ତି। ମାତ୍ର ନିର୍ବାଚନ ପରେ ବିଜେପି ନେତା, କେନ୍ଦ୍ରମନ୍ତ୍ରୀ ଭୁଲି ଯାଇଛନ୍ତି ପ୍ରତିଶ୍ରୁତି। ୨୦୧୭ ମସିହାରୁ ୨୦୨୩ ମସିହା ମଧ୍ୟରେ ହୋଇଥିବା ୪ଟି ଜିଏସ୍ଟି କାଉନସିଲ ବୈଠକରେ କେନ୍ଦୁପତ୍ରରେ ଲାଗୁଥିବା ୧୮ ପ୍ରତିଶତ ଜିଏସ୍ଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ହେଁ ଏହାକୁ ଉଚ୍ଛେଦ ବା ହ୍ରାସ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବିଡ଼ମ୍ବନା ହେଉଛି ରାଜ୍ୟରୁ ନିର୍ବାଚିତ ୮ ଜଣ ବିଜେପି ସାଂସଦ ଓ ସମ୍ବଲପୁରରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ରମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ ରହିଛନ୍ତି। ପଶ୍ଚିମ ଓଡ଼ିଶାର ଅର୍ଥନୀତି ସହ କେନ୍ଦୁପତ୍ର ଏବଂ ସଂଗ୍ରହକାରୀଙ୍କ ସ୍ୱାର୍ଥ ଜଡ଼ିତ ଥିବାରୁ ପରୋକ୍ଷରେ ପଶ୍ଚିମ ଓଡ଼ିଶା ପ୍ରତି ଏହା କେବଳ ଅବିଚାର ନୁହେଁ; ଠକେଇ ବୋଲି ମନେ କରାଯାଉଛି।
୨୦୧୯ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ନିର୍ବାଚନ ଇସ୍ତାହାରରେ, କେନ୍ଦ୍ରରେ ବିଜେପିର ସରକାର ପୁନର୍ବାର ଗଠନ ହେଲେ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରାଯାଇଥିଲା। ଏହା ସହ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ସଭାପତି ନିର୍ବାଚନ ପ୍ରଚାର ସମୟରେ ଭୁବନେଶ୍ୱର, କେନ୍ଦୁଝର, ବରଗଡ଼ରେ ନିର୍ବାଚନୀ ସଭାରେ ନିଜର ଉଦବୋଧନ ମାଧ୍ୟମରେ ମଧ୍ୟ ଜିଏସଟି ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରିଥିଲେ। ଏବେ ପୁଣି ୨୦୨୪ରେ ନିର୍ବାଚନ ଆସି ପହଞ୍ଚିଛି। ମାତ୍ର ୫ ବର୍ଷ ମଧ୍ୟରେ ଜିଏସ୍ଟି ହ୍ରାସ ନିଷ୍ପତ୍ତି ହୋଇ ପାରିଲା ନାହିଁ।
ସେହିପରି ପଦମ୍ପୁର ଉପନିର୍ବାଚନ ସମୟରେ ମଧ୍ୟ ବିଜେପି ନେତାମାନେ କେନ୍ଦୁପତ୍ରରୁ ଜିଏସ୍ଟି ଛାଡ଼ କରିବାକୁ ଘୋଷଣା କରିଥିଲେ। ଖୋଦ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କ ଦଳର ଜାତୀୟ ନେତା, ବରଗଡ଼ ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପୁରୋହିତ ଓ ରାଜ୍ୟର ଅନ୍ୟ ନେତାମାନେ ମଧ୍ୟ ଏହା ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ସରିବା ପରେ କେନ୍ଦୁପତ୍ର କଥା ଭୁଲିଗଲେ ବିଜେପିର ଏହି ନେତାମାନେ। ରାଜ୍ୟର ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଅନ୍ୟାୟ କରି ଚାଲିଛନ୍ତି ଓ ରାଜ୍ୟର ବିଜେପି ସାଂସଦମାନେ ରହସ୍ୟମୟ ଭାବରେ ଏହାକୁ ନିରବରେ ସମର୍ଥନ କରୁଛନ୍ତି।