ବଲାଙ୍ଗିର: ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେ ଘଟିଛି ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ । ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ନୃଶଂସ ସ୍ୱାମୀ । ମୃତକ ହେଲେ ତପ ମଲ୍ଲିକ। ଅଭିଯୁକ୍ତ ସ୍ୱାମୀ ନାଁ ମହାଦେବ ମଲ୍ଲିକ । ଘଟଣା ସ୍ଥଳରେ ଦେଓଗାଁ ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନଭିନ ।
ମିଳିଥିବା ସୂଚନା ଅନୁସାରେ, ସ୍ବାମୀ ମହାଦେବ ମଲ୍ଲିକ ଓ ସ୍ତ୍ରୀ ତପ ମଲ୍ଲିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତପକୁ ସ୍ବାମୀ ମହାଦେବ ଟାଙ୍ଗିଆରେ ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତପଙ୍କର ମୃତ୍ୟୁ ଘଟିଥିଲା । ସ୍ତ୍ରୀର ମୃତଦେହକୁ ବାହାରକୁ ନେଇ ଯିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଅନ୍ୟମାନେ ଅଟକାଇଥିଲେ । ସେ ନଶୁଣିବାରୁ ତାଙ୍କୁ ମାଡ଼ ମାରି ତପଙ୍କ ମୃତଦେହ ତାଙ୍କଠାରୁ ଉଦ୍ଧାର କରିଥିଲେ । ଏନେଇ ପରିବାରଲୋକ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାରୀ ସ୍ୱାମୀକୁ ପୋଲିସ ଜିମା ଦେଇଥିଲେ ।