ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର । ବିଧାନସଭାରେ ମକ ପୋଲିଂ ଶେଷ ପରେ ଗଣମାଧ୍ୟମକୁ ଏପରି ବିସ୍ଫୋରକ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି ନବୀନ ଅଭିଯୋଗ କରିଛନ୍ତି । ତେବେ ବିଜେଡିର ସମସ୍ତ ବିଧାୟକ ଏକଜୁଟ ଅଛନ୍ତି, ସତର୍କ ଅଛନ୍ତି ବୋଲି ସେ କହିଛନ୍ତି ।
ସେହିପରି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଅଭିଯୋଗ କରି କହିଛନ୍ତି,ଶାସକ ଦଳ ପାଖରେ ନିର୍ବାଚନ ଜିତିବାକୁ ନମ୍ବର ନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଫୋନ କରୁଛନ୍ତି । ନିର୍ବାଚନ ମଣ୍ଡଳୀ ଲୋକ କହିଛନ୍ତି ଯେ ଯିଏ ବି ଘୋଡା ବେପାର କରିବ, ତାକୁ ନିର୍ବାଚନ ମଣ୍ଡଳୀ ପୂରାଇ ଦିଆଯିବ ନାହିଁ । ଦଳ ବି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବ୍ୟୋମକେଶ କହିଛନ୍ତି । ଆଜି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଧାନସଭାରେ ବିଧାନସଭା ସଚିବ ସବୁ ଦଳର ବିଧାୟକଙ୍କୁ ମକ ଡ୍ରିଲ କରାଇଛନ୍ତି । କେମିତି ମତଦାନ କେନ୍ଦ୍ରକୁ ଯିବେ, କେଉଁଠି ବସିବେ, ବାଲାଟ ପେପର କେଉଁଠୁ ଆଣିବେ, ଭୋଟ କେମିତି ଦିଆଯିବ, ପେନ କେମିତି ବ୍ୟବହାର ହେବ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଦଳର ନିଷ୍ପତ୍ତି ଅନୁସାରେ ଭୋଟ ଦିଆଯିବ ବୋଲି ବିଧାୟକ କହିଛନ୍ତି । ସେପଟେ ଆଜି ସଂଧ୍ୟାରେ ମଧ୍ଯ ନବୀନ ନିବାସରେ ବିଜେଡି ବିଧାୟକ ଟ୍ରେନିଂ ନେବେ ।