ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ହୀରାକୁଦ ନଦୀବନ୍ଧର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଆଉ ୬ଟି ଗେଟ୍ ଖୋଲିଛନ୍ତି। ଫଳରେ ଏବେ ମୋଟ୍ ୧୦ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କେବଳ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା।
ପ୍ରଥମ ପର୍ଯ୍ୟାୟରେ ଖୋଲିଥିଲା ୪ଟି ଗେଟ୍
ହୀରାକୁଦ ନଦୀବନ୍ଧରେ ଜଳସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଥିବାରୁ ପୂର୍ବ ଘୋଷଣା ମୁତାବକ ଗୁରୁବାର ପୂର୍ବାହ୍ନ ୧୧ଟା ପରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ପରମ୍ପରା ଅନୁଯାୟୀ, ପ୍ରଥମେ ପୂଜାର୍ଚ୍ଚନା କରାଯାଇ ୭ ନମ୍ବର ଫାଟକ ଖୋଲାଯାଇଥିଲା। ଏହା ପରେ କ୍ରମାନ୍ବୟରେ ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା, ଯେଉଁଥିରେ ବାମ ପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ଗୋଟିଏ ଗେଟ୍ ସାମିଲ ଥିଲା। ପ୍ରଥମ ଦିନରେ ପର୍ଯ୍ୟାୟକ୍ରମେ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯାଇଥିଲା।
ଦୁଇ ଦିନରେ ୯ ଫୁଟ୍ ବଢ଼ିଲା ଜଳସ୍ତର
ମିଳିଥିବା ସୂଚନା ଅନୁଯାୟୀ, ମାତ୍ର ୨ ଦିନ ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ପ୍ରାୟ ୯ ଫୁଟ୍ ବୃଦ୍ଧି ପାଇଛି। ଗତ ୬ ତାରିଖ ସକାଳେ ନଦୀବନ୍ଧର ଜଳସ୍ତର ୬୦୩ ଫୁଟ୍ ଥିଲା ଏବଂ ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ପ୍ରାୟ ୪୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ତେବେ ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଜଳସ୍ତର ଯଥେଷ୍ଟ ବୃଦ୍ଧି ପାଇ ୬୧୨.୯୭ ଫୁଟ୍ରେ ପହଞ୍ଚିଥିଲା। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମର ସୁରକ୍ଷା ପାଇଁ କର୍ତ୍ତୃପକ୍ଷ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।