ଏପ୍ରିଲ ମାସ ଆରମ୍ଭରୁ ଉପରମୁହାଁ ପାରଦ; ୪୦ ଡିଗ୍ରୀ ଟପିଲା ରାଜ୍ୟର ୯ ସହର ତାପମାତ୍ରା

ଭୁବନେଶ୍ୱର: ଏପ୍ରିଲ ମାସ ଆରମ୍ଭରୁ ଉପରମୁହାଁ ହେଲାଣି ପାରଦ । ଡହଡହ ଖରାକୁ ହେଉଛି ଝାଞ୍ଜି ମାଡ଼ । ୪୦ ଡିଗ୍ରୀ ଟପିଲା ରାଜ୍ୟର ୯ ସହରର ତାପମାତ୍ରା । ମାର୍ଚ୍ଚ ମାସରେ ତାପମାତ୍ରା ବୃଦ୍ଧିକୁ କାଳବୈଶାଖୀ ଜନିତ ବର୍ଷା ବାଧା ଦେଇଥିଲା।  ହେଲେ ଏପ୍ରିଲ ଆରମ୍ଭରୁ ତାଉ ଦେଖାଇଛି ତାତି। ଶୁକ୍ରବାର ରାଜ୍ୟର ୯ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।  ୪୧.୬ ଡିଗ୍ରୀ ତାତି ସହ ଝାରସୁଗୁଡ଼ା ସାରା ଦେଶରେ ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିଛି। ଦେଶର  ୧୦ଟି ତତଲା ଅଞ୍ଚଳ ମଧ୍ୟରେ ଓଡ଼ିଶାରୁ ୪ଟି ଅଞ୍ଚଳ ଅନୁଗୋଳ, ଟିଟିଲାଗଡ଼ ଓ ବଲାଙ୍ଗିର ସ୍ଥାନ ପାଇଛି। ଆଜି ଅନୁଗୋଳରେ ୪୦.୭ ଡ଼ିଗ୍ରୀ, ଟିଟିଲାଗଡ଼ରେ ୪୦.୫ ଓ ବଲାଙ୍ଗୀରରେ ୪୦.୩ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। 

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ଓ ଖରାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ଗୁଳୁଗୁଳି ହେବା ଆଶଙ୍କା ରହିଛି। ରାଜ୍ୟରେ ଆଗକୁ ଏହି ସ୍ଥିତି ସହ ଅପରାହ୍ମ ପରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇପାରେ ବୋଲି କୁହାଯାଇଛି।  ୪ ତାରିଖଠାରୁ ଏହାର ପ୍ରଭାବ କିଛି କିଛି ଜିଲ୍ଲାରେ ଅନୁଭୂତ ହେବ ଏବଂ ୬ ଓ ୭ ତାରିଖରେ ଏହାର ପ୍ରଭାବ ସବୁଠୁ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଶନିବାର ଓ ରବିବାର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜାଗାରେ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ମଧ୍ୟ ୩୦-୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ତେବେ ୬ ଓ ୭ ତାରିଖରେ ବର୍ଷାର ପ୍ରଭାବ ଅଧିକ ଜିଲ୍ଲାରେ ପଡ଼ିବା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇ ୪୦-୫୦ କିମି ପର୍ଯ୍ୟନ୍ତ ରହିପାରେ। ଏହି ସମୟରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଅଧିକ ରହିବ ଓ କିଛି କିଛି ସ୍ଥାନରେ କୁଆପଥର ମଧ୍ୟ ପଡ଼ିବାର ଆଶଙ୍କା ରହିଛି।

About The Author: Madhusudan Das