ଉପରମୁଣ୍ଡରେ ଛତିଶଗଡ଼ର ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର, ମରଣମୁହାଁ ମହାନଦୀ

ସମ୍ୱଲପୁର: ଓଡ଼ିଶାକୁ ଛତିଶଗଡ଼ର ଡ଼ବଲ୍‌ ଝଟ୍‌କା। ଏକ ପକ୍ଷରେ ମହାନଦୀ ଜଳ ବିବାଦର ସମାଧାନ ଗଡ଼ିଗଡ଼ି ଚାଲିଥିବାବେଳେ କଲମାରୁ ଛତିଶଗଡ଼ ପାଣି ଛାଡ଼ୁନାହିଁ; ଅନ୍ୟପକ୍ଷରେ କଲମାପ୍ରକଳ୍ପ ନିକଟରେ ଛତିଶଗଡ଼ ଆହୁରି ୨୦ଟି ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ କରିଛି। ଓଡ଼ିଶାରେ ବିଜେଡି ସରକାର ଛତିଶଗଡ଼ର ମନମାନି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା, ମାତ୍ର ଏବେ ଟ୍ରିପଲ ଇଞ୍ଜିନ୍‌ର ଅଂଶୀଦାର ଓଡ଼ିଶା ସରକାର ପୁରା ନିରବ। ଛତିଶଗଡ଼ ପାଇଁ ଏହା ଏବେ ସୁବର୍ଣ୍ଣ ସୁଯୋଗ ପାଲଟିଛି ଏବଂ ବେଧଡ଼କ […]

ସମ୍ୱଲପୁର: ଓଡ଼ିଶାକୁ ଛତିଶଗଡ଼ର ଡ଼ବଲ୍‌ ଝଟ୍‌କା। ଏକ ପକ୍ଷରେ ମହାନଦୀ ଜଳ ବିବାଦର ସମାଧାନ ଗଡ଼ିଗଡ଼ି ଚାଲିଥିବାବେଳେ କଲମାରୁ ଛତିଶଗଡ଼ ପାଣି ଛାଡ଼ୁନାହିଁ; ଅନ୍ୟପକ୍ଷରେ କଲମାପ୍ରକଳ୍ପ ନିକଟରେ ଛତିଶଗଡ଼ ଆହୁରି ୨୦ଟି ଜଳଯୋଗାଣ ପ୍ରକଳ୍ପ କାମ ଆରମ୍ଭ କରିଛି। ଓଡ଼ିଶାରେ ବିଜେଡି ସରକାର ଛତିଶଗଡ଼ର ମନମାନି ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା, ମାତ୍ର ଏବେ ଟ୍ରିପଲ ଇଞ୍ଜିନ୍‌ର ଅଂଶୀଦାର ଓଡ଼ିଶା ସରକାର ପୁରା ନିରବ। ଛତିଶଗଡ଼ ପାଇଁ ଏହା ଏବେ ସୁବର୍ଣ୍ଣ ସୁଯୋଗ ପାଲଟିଛି ଏବଂ ବେଧଡ଼କ ଭାବରେ ନିୟମ ପରେ ନିୟମ ଭାଙ୍ଗି ପ୍ରକଳ୍ପ ପରେ ପ୍ରକଳ୍ପ ନିର୍ମାଣ କରୁଛି। ବେଆଇନ ନିର୍ମିତ ପୁରୁଣା ପ୍ରକଳ୍ପ ତ ପଛ କଥା, ନୂଆ କରି ନିର୍ମାଣ ଚାଲିଥିବା ୨୦ଟି ବେଆଇନ ପ୍ରକଳ୍ପ ସମ୍ପର୍କରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛନ୍ତି। ଓଡ଼ିଶାରେ ସରକାର ଆସିଲେ ଓଡ଼ିଶାର ହକ ମାରିବାକୁ ଦିଆଯିବ ନାହିଁ ବୋଲି ନିର୍ବାଚନ ସମୟରେ କହୁଥିବା ବିଜେପି ନେତାଙ୍କ ମୁହଁରେ ଏବେ ତୁଣ୍ଡି ବନ୍ଧା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

କଲମା ବ୍ୟାରେଜର ଉପରମୁଣ୍ଡରେ ଛତିଶଗଡ଼ ବେଆଇନ ଭାବରେ ୨୦ଟି ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରିଛି। ସେଥିରୁ କିଛି ପ୍ରକଳ୍ପର କାମ ଅଧା ସରିଥିବାବେଳେ ବାକିର କାମ ଦୃତ ଗତିରେ ଆଗେଇ ଚାଲିଛି। ୭୦୨ କୋଟି ଟଙ୍କା ବ୍ୟୟରେ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ଏଥିରେ ଜାଂଜଗିର- ଚାମ୍ପା ସମେତ ସାରଙ୍ଗଗଡ ଜିଲ୍ଲାର ୫୦୦ରୁ ଉଦ୍ଧ୍ୱର୍ ଗ୍ରାମକୁ ଜଳ ଯୋଗାଣ ହେବ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବଡ଼ବଡ଼ ଇନଟାକ ୱେଲନିର୍ମାଣ ଚାଲିଛି। ଯାହା ଓଡ଼ିଶାକୁ କଲମାରୁ ଆସିବାକୁ ଥିବା ପାଣିରୁ ପାଣି ଶୋଷିବ। ବର୍ତ୍ତମାନ କଲମାର ସମସ୍ତ ଗେଟ ଖୋଲାଥିବାବେଳେ ମାତ୍ର ୭ ହଜାର ଘନଫୁଟ ଜଳ ଓଡ଼ିଶାକୁ ପ୍ରବାହିତ ହେଉଛି। ସମସ୍ତ ୨୦ଟି ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାକୁ ଆଉ ମୁନ୍ଦାଏ ପାଣି ବି ମିଳିବ ନାହିଁ।

ଛତିଶଗଡରେ ରମଣ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର ଥିବାବେଳେ ଅନେକ ବ୍ୟାରେଜ ନିର୍ମାଣ ହୋଇଥିଲା। ସେହି ସମୟରେ ଓଡିଶା ସରକାର ଏହାର ତୀବ୍ର ବିରୋଧ କରିବା ଫଳରେ କଥା କେନ୍ଦ୍ର ପାଖରେ ପହଞ୍ଚିଥିଲା। ମାତ୍ର ବର୍ତ୍ତମାନ ମହାନଦୀ ବିବାଦ ଟ୍ରିବ୍ୟୁନାଲ ମଧ୍ୟରେ ସୀମିତ ରହିଛି। ଓଡ଼ିଶାରେ ବିଜେପି ସରକାର ଆସିଲେ ଓଡିଶାର ପାଣିକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେପି ନେତାମାନେ ଘୋଷଣା କରିଥିଲେ। ଏବେ ଓଡିଶା, ଛତିଶଗଡ଼ ସହ କେନ୍ଦ୍ରରେ ବି ବିଜେପି ସରକାର ରହିଛି। ବିଡ଼ମ୍ବନା ହେଉଛି ଓଡିଶାରେ ଡବଲ ଇଂଜିନ ସରକାର ଆସିବା ପରେ କଲମା ବ୍ୟାରେଜରୁ ଜଳ ହ୍ରାସ ଓ ୨୦ଟି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣର ଡ଼ବଲ ଝଟ୍‌କା ଓଡ଼ିଶାକୁ ଲାଗିଛି। ଏହି ୨୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ଖାଲି ମହାନଦୀ ମୃତ ନଦୀରେ ପରିଣତ ହେବ ନାହିଁ; ଦେଶର ଅନ୍ୟତମ ବୃହତ୍ତମ ଜଳଭଣ୍ଡାର ହୀରାକୁଦ ମଧ୍ୟ ଇତିହାସ ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

About The Author: The Sakala