୧୮ରେ ସୃଷ୍ଟିହେବ ଲଘୁଚାପ : ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଜାରିହେଲା ସତର୍କ ସୂଚନା

ଭୁବନେଶ୍ବର : ରାଜ୍ୟକୁ ପୁଣି ଫେରୁଛି ବର୍ଷା। କିଛି ଦିନର ଶୁଖିଲା ପାଗ ପରେ ପୁଣି ଥରେ ଲେଉଟୁଛି ବର୍ଷା। ଆଗାମୀ ୪ ଦିନ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର-ପୂର୍ବ ତତ-ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ରୁ ୭.୬ କିମି ଉଚ୍ଚତା ମଧ୍ୟରେ ଏକ […]

ଭୁବନେଶ୍ବର : ରାଜ୍ୟକୁ ପୁଣି ଫେରୁଛି ବର୍ଷା। କିଛି ଦିନର ଶୁଖିଲା ପାଗ ପରେ ପୁଣି ଥରେ ଲେଉଟୁଛି ବର୍ଷା। ଆଗାମୀ ୪ ଦିନ ରାଜ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଉ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର-ପୂର୍ବ ତତ-ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ରୁ ୭.୬ କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ୧୮ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଏହାର ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅଗଷ୍ଟ ୧୭ ରୁ ୧୯ ତାରିଖ ଏହାର ସର୍ବାଧିକ ପ୍ରଭାବ ପଡିବପାରେ ।


ଅନ୍ୟପକ୍ଷରେ ମୌସୁମୀ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନରେ ହିମାଳୟ ପାଦଦେଶରେ ପ୍ରବାହିତ ହେଉଛି। ଏପରିସ୍ଥିତରେ ସମ୍ଭାବ୍ୟ ଲଗୁଚାପର ରୂପରେଖ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଜି ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର। ଗତକାଲି ଅର୍ଥାତ ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେଥିପାଇଁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।


ଅନ୍ୟପଟେ ୧୮ ତାରିଖରେ ସମ୍ୱଲପୁର, ସୋନପୁର, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ଗଞ୍ଜାମ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ବୌଦ୍ଧ, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲାପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


ସେପେଟ ୧୯ ତାରିଖରେ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ଆଶଙ୍କା ରହିଛି। ସେଥିପାଇଁ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ବର୍ଷ ଜୁନ ପହିଲାରୁ ଅଗଷ୍ଟ ୧୬ ଯାଏଁ ରାଜ୍ୟରେ ୬୭୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତିକି ଅବଧି ମଧ୍ୟରେ ୭୪୯ ମିମି ବର୍ଷା ହେବା କଥା । ଏ ଯାଏଁ ରାଜ୍ୟରେ ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ଗୋଟିଏରେ ସ୍ୱାଭାବିକଠାରୁ ଢେର ଅଧିକ ବର୍ଷା ହୋଇଛି। ଆଉ ୧୮ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

About The Author: The Sakala